Unknown

ଦଶକଥା

ଲକ୍ଷ୍ମୀନାରାୟଣ ସାହୁ

 

ଦଶକଥା

ଆସିଛ ବସନ୍ତ କୁସୁମ ସାଥେ

ଆଣିଛ ହସ ହସ ରସ ରସ ସକଳ କୁଞ୍ଜେ

ଆଜି ଲତା ଅନ୍ତରାଳେ ବିହଗ ଗାହେ ବେହାଗେ

ବିଜନ ବନ ମୁଖରି ଉଠେ ପଶୁ ପକ୍ଷୀର ସରାଗେ

 

ଯୁବକ ଯୁବତୀ ପ୍ରିୟ ପ୍ରିୟା ସାଥୀ

ଚାଲିଛନ୍ତି କୁଞ୍ଜ କାନନେ ମଧୁର ଅନ୍ତରାଳେ

ବହି ଯାଉଅଛି ସରାଗେ ଧୀରେ ମହାନଦୀ କଲ୍ଲୋଳେ

ମାତିଛନ୍ତି ଆଜି ପଶୁପକ୍ଷୀ ଯେତେ

 

ଗୀତରେ ବାଦ୍ୟରେ

ମନ ତାଙ୍କର ବଡ଼ ଉତ୍‌ଫୁଲ୍ଲ ହାୟ ! ହାୟ !

ମୁଁ ଏକାକୀ ବସି ରହେଁରେ

କାନ୍ଦଟି ମୋର ମାଡ଼ୁଛି ଏତେ କାହାକୁ କହିବି କଥା ସତେ

 

ଦରଦୀ କେହି ଆସିଲେ ସିନା ଭାଇ, ବୁଝନ୍ତା ବୁଝାନ୍ତା ଅବା ମୋତେ

ହଉ ହଉ, କାହିଁକି ମୁହିଁ ବେଦନା ସହି

ଅପର ସୁଖରେ ହାଣିବି ବାଣ

ପରର ସୁଖ ଦେଖି ସୁଖୀ ହେବା ପାଇଁ

କହିଛନ୍ତି ମୋତେ ସେ ତ ଅନେକଥର ଜାଣ ।

 

କିଲ୍ଲାପଡ଼ିଆ

୯-୨-୧୯୩୮

 

ଫୁଟିଥିଲା ଫୁଲ କୁସୁମ କାନନେ

କେହି ଦେଖି ନ ଥିଲେ ସତେ

ଦେଖିଲି ମୁହିଁ ବସିଲି ଯାଇଁ

ଧରା ପଡ଼ିଗଲି ମୋ ବନ୍ଧୁ ହାତେ

 

ସେହି ଦିନୁଁ ସବୁ ଧାଇଁଲେ ତହିଁ

କୁସୁମର କିନ୍ତୁ କାହିଁରେ ମନ ନାହିଁ

 

କେତେ ତ ଫୁଲ ଫୁଟିଛି କାନନେ

କେତେ ତ ଭଁଅର ଧାଏଁ ଚାରିଦିଗ ନାନା ଧିଆନେ

 

ସବୁ କି ସବୁର ପିଅର କହ

ମୋହର ସାଥେ ରସିଲା ମନ ଯାହାର ହୋ

ତାହାର ପାଶେ ତୁମେ କାହିଁକି କରିବ ଛଳ

ଏ ତ ବାନର ପଣିଆ, ଛି ଛି ନୁହେଁ ମାନବ ବଳ

 

ଦେବତା ଅଛନ୍ତି ପ୍ରୀତିର ସାଥେ

ମାନବ ମାନବୀ ନୁହନ୍ତି ଦାନବ ଦାନବୀ ହାତେ କ୍ରୀଡ଼ାର ପୁତ୍ତଳି

 

ରୁହ ଆହେ ଦୂରେ ଖୋଜ ଆପଣାର ପ୍ରିୟାରେ

ଅପରେ ନ ଦିଅ ଦୁଃଖ ଶୋକରେ ଜାଳି ।

 

କିଲ୍ଲା ପଡ଼ିଆ (କଟକ)

୯-୨-୧୯୩୮

 

ପ୍ରିୟ ମୋର ଦୁଃଖରେ ଆତୁର ହୁଅ ବୋଲି

ଲାଗଇ ମୋତେ ଏତେ ସୁଖ

ଖାଲି କି ତୁମେ ସୁନ୍ଦର ସଖା ବାହାରେ ଦେଖ ଦେଖ

ନୁହଁ ତ ତୁମେ କେବଳ ସୁହାଗ ସାଙ୍ଗ

 

ବିପଦ ବେଳେ ଆପଣାକୁ ଦିଅ ଘାରି

ଯେହ୍ନେ ରଣରଙ୍ଗ ଆମ ପ୍ରେମତରଙ୍ଗ

ପରର ଦୁଃଖ ଦେଖିଲେ ତୁମର ଆଖିରୁ ଗଡ଼େ ଲୁହ

ହୃଦୟ ତୁମର କୋମଳ, ପରଶ ତୁମର ପ୍ରେମମୟ

 

ସେଥିପାଇଁ ପ୍ରିୟ ଲାଗେ ତୁମକୁ ମୋର ଏଡ଼େ ଭଲ

ଦୂରେଥିଲେ ଭାବେ ବସି ତୁମକୁ, ନିକଟେ ଆସିଲେ ହୁଏ ଅଥୟ

ଅତି ସୁନ୍ଦର ତୁମେ ଅତି ସୁନ୍ଦର- ବାହାରେ ଭିତରେ ସୁନ୍ଦର ତୁମେ ପ୍ରିୟ,

 

କିଲ୍ଲାପଡ଼ିଆ (କଟକ)

୯-୨-୧୯୩୮

 

ପ୍ରିୟା ପ୍ରୀତିର ଛୁଇଁ ଦେଲେ ଓଷ୍ଠ

ଆପଣାର ଓଷ୍ଠ ପୁଟେ

ଅମୀୟ ନିର୍ଝରେ; ଆହା ସେ କି ସଂକଟ

ଆହୁରି ପ୍ରିୟତର ଅଟେ

 

ଯେତେ ଯେତେ ସେହି ସୁଖ ଆସ୍ୱାଦ

ସେତେ ସେତେ ସିନା ବଢ଼େ

ମାତ୍ରା ତାହାର ପୂର୍ଣ୍ଣ କଳା ଛୁଏଁ ଯେବେ

ବିଦ୍ୟୁତ ଛୁଟେ ଅବଶ କରେ ମୋହରେ କେତେ

 

କିଏ ରଖିଛି ଓଷ୍ଠ ସଂପୁଟେ ଏତେ ସୁଧା

ଧନ୍ୟ ଧନ୍ୟ କରୁଛି ତାକୁ ସକଳ ବସୁଧା

 

କି ଅମୃତ ! ଛାର ସବୁ ତାହାଠାରେ

ଛଣା ସୁଧାଠାରୁ ଆହୁରି ଛଣା କାହିଁକି ହୁଅଇ ଭାରତୀରେ ?

 

ମାତାର ଚୁମ୍ୱନ ଶିଶୁର ବଦନେ

ଶିଶୁର ପୁଣି ଜନନୀ ଆନନେ

ପ୍ରିୟ ପ୍ରିୟର ଗାଲେ

ପ୍ରିୟା ପ୍ରିୟାର ଗେହ୍ଲେ

 

ଜଗତ ହୁଏ ଉତଫୁଲ୍ଲ, ସତେ ସେ ପାରିଜାତ ଫୁଲ

ହାୟ ହାୟରେ ଅଭାଗା ସେହି ପ୍ରିୟ ପ୍ରିୟା ନାହିଁ ଯାହାର ।

କିଲ୍ଲାପଡ଼ିଆ [କଟକ]                                                ଲ-

 

୯-୨-୧୯୩୮

ଏତେ କ୍ଷୁଧା, ଏତେ ବାସନା,

ନରନାରୀ ହେଲେ ବି ବୈଷ୍ଣବ ମନା

ନର ନାରୀ-ନର ନାରୀ-ନର ନାରୀ

ମହା ପରୀକ୍ଷା ସଂଯମର ସେ ଯେ

ଦୂରେ ରୁହ, ଦୂରେ, ଦୂରେ

ତଥାପି ଯଦି ହୁଅ ଉନ୍ମନା

କି କରିବ କହ, ମରମ ଦହ,

ତେଣୁ ସାଧନା, ଅପୂର୍ବ ସାଧନା,

ଦୂରେ ନ ରହି, ଆପଣାର ମନକୁ କର ଆନମନା ।

୩-୭-୧୯୫୨

 

ମୁକୁତା ନିସ୍ୟନ୍ଦିନୀ ନଳିନୀ ଆସି ଉପସ୍ଥିତା । ସେ ବଡ଼ ଲାଜକୁଳୀ । ଏଣେ ବିବାହର ବୟସ ହୋଇ ସାରିଛି । ଏମ୍‌ଏ ପାଶ କରି ସାରିଛି । ପାଠ ପଢ଼ାରେ ସେ ଖୁବ୍‌ବେଶ । ସବୁବେଳେ ଇଉନିଭର୍ସିଟିରେ ଫାର୍ଷ୍ଟ ହୋଇଛି । ଏଣେ ତାର ଯେ ସାଙ୍ଗ ସୁଖ ନାହାଁନ୍ତି ଏପରି ନୁହେଁ । ସେ ବୀଣା ବଜାଏ- ଗୀତ ଗାଏ । ଅନେକ ବନ୍ଧୁ ଉପଭୋଗ କରନ୍ତି । ତଥାପି ନଳିନୀ ବଡ଼ ଲାଜକୁଳୀ । କରଣ ଘର ଝିଅ- ଘର ମର୍ଯ୍ୟାଦା ମଧ୍ୟ ଅଛି । ତେଣୁ ସେ ଜଗି ରହି ବାଟ ଚାଲେ ।

 

ଦିନେ U.N.O.ର ମିଟିଂ ହେବ- ସେ ଗୋଟିଏ ପ୍ରବନ୍ଧ ପାଠ କରିବ । ଲେଖିଛି- ମାତ୍ର ବଡ଼ ଡରି ଡରି- କାଳେ ତାର ଇଉନିଭର୍ସିଟି ନା’ଟା ତଳେ ପଡ଼ିଯିବ- ଏହି ହେଲା ଭୟ ।

ସୁତରାଂ ଲେଖାଟି ହୋଇଛି ସିନା, ସେଥିରେ ରସ ସରସତା ସେପରି କିଛି ଫୁଟି ନାହିଁ ।

ଆମେ ସମସ୍ତେ ଶୁଣିଲୁ । ସମାଲୋଚନା କରିବା ପାଇଁ ସେଥିରେ କିଛି ମସଲା ରଖାଯାଇ ନାହିଁ ।

ଯାହା ହେବାର ହେଲା । ସେ ଦିନ ଗଲା । ସେ ଭୋଜି ସରିଲା ।

 

ନଳିନୀଟି ଏବେ ବିବାହିତା । ତାର ଫଟୋ ଦେଇ ତାର କୃତିତ୍ୱ ଛପାଇ ବର ଖୋଜିବା ପାଇଁ କେହି କେହି ଆଗ୍ରହାନ୍ୱିତ ହେଉଥିଲେ । କିନ୍ତୁ ନଳିନୀ ବଣର ମାଳତୀ ପରି ରହିବାକୁ ଇଚ୍ଛା କରିଥିଲା । କିନ୍ତୁ ତାହା କି ହୁଏ । ଦୁଇଆଡ଼ୁ ମନଟା ଯାର ଥାଏ, ସେ ଗୋଟିଏ ଆଡ଼େ ରହି ପାରେ ନା । ନଳିନୀ ଚାହେଁ ସମାଜରେ ତାର ନାମ ହେବ, ପ୍ରତିପତ୍ତି ହେବ, ଖ୍ୟାତି ହେବ, କିନ୍ତୁ ସେ ଚୁପି ଚୁପି ଏହିସବୁ ହାସଲ କରିବ ।

 

ଫଳରେ ତାକୁ ଯୁଟିଲା ଭଲ ବର । ଦୁହେଁଯାକ ପଣ୍ଡିତ-ପାଠୁଆ । ଅବା କହିବି ପାଠୁଆ ପାଠୁଆଣୀ ?

ଏଥର କେତେ ଲାଜ କରିବ କର । ବିବାହ ପରେ ତ ଲାଜ ଆସ୍ତେ ଆସ୍ତେ କମିଯାଏ । ଯେଉଁ ଲାଜ ଯେଉଁଥିପାଇଁ କରିବା କଥା ସେହି ଲାଜ କଥା ତ ସରିଛି । ତେବେ ମନୁଷ୍ୟର ସଂଭ୍ରମ ବୋଲି ଗୋଟିଏ କଥା ଅଛି । ସେଟା ତ ଭଲ କଥା । ସେଟା ନଳିନୀର ଅଛି । ପ୍ରଭାର ଯେବରି ।

 

ପ୍ରଭା ବି. ଏଲ୍ ପାଶ । ହାଇକୋର୍ଟରେ ଓକିଲାତି କରେ । ତଥାପି ସେ ବଡ଼ ଭୀତ ଭୀତ । ଠିକ୍‌ଭୀତ ଭୀତ ନୁହେଁ- ସେ ତ ସାହସୀ । ତେବେ ନିଜକୁ ଭିତରକୁ ଟାଣି ରଖି ରହିବା ପାଇଁ ସେ ବେଶୀ ଇଚ୍ଛା କରେ । ଦେଖାଇ ହୁଏ ନାହିଁ ।

ସଧାରଣ ସୁନ୍ଦର, ସ୍ନେହଶୀଳା, କିନ୍ତୁ ନଳିନୀର ଅହଂ ଅଛି- ଅହଂକାର ଅଛି- ନାମ ଯଶ କରିବାର ଇଚ୍ଛା ଅଛି, ପ୍ରବୃତ୍ତି ଅଛି ।

 

ପ୍ରଭାକୁ ଚିହ୍ନିବାକୁ ହେଲେ ତାର ଚିଠିରୁ ତାକୁ ଚିହ୍ନି ପାରିବ । ସେ ଚିଠି ଲେଖିଛି-

‘‘ହଁ, ମୋ ନାଁରେ ଲେଖା କବିତାଟି ମଧ୍ୟ ପାଇଛି । ସେଠି ପଢ଼ିଥିଲି (ଅର୍ଥାତ୍‌ କଟକରେ) ପୁଣି ଆଜି ବସି ପଢ଼ୁଥିଲି, ଭାରି ଭଲ ଲାଗିଲା ।

 

କାନୁ ପାଖରେ ମୋତେ ଭାରି ଭଲ ଲାଗୁଛି; କିନ୍ତୁ ପ୍ରଥମ ଯେଉଁଦିନ ପହଞ୍ଚିଲି, ଆଦୌ ଭଲ ଲାଗିଲାନାହିଁ, କାରଣ ମୁଁ ଟିକେ ଭିନ୍ନରକମ expect କରିଥିଲି ।’’ ସେ ଲେଖିଛି- ‘‘Idealists always suffer. I suppose they live their lives to suffer only’’ ତା ପରେ ଲେଖିଛି-

 

‘‘ମୁଁ ଟକିଏ ବଡ଼ ପ୍ରକୃତିର ଭକ୍ତ କି ନା, ତେଣୁ ଶୁଖିଲା ମାଟି ଉପରେ ଘରଟା ଦେଖି ମନଟା ଦବିଗଲା । ମୋର dream land of retirement ଏକେବାରେ ଭିନ୍ନ ପ୍ରକାର। ଦୁନିଆର ଗୋଳମାଳରୁ ବହୁତ ଦୂରରେ, ହିମାଳୟର ସେହି Pine forestର Serene calm ଭିତରେ କିମ୍ବା ଘନ ଜଙ୍ଗଲରେ ରହୁଥିବା ଛୋଟିଆ ଝରଣା କୂଳରେ- ସୁବବେଳେ ମୁଁ dream କରେ- ଏମିତି ଗୋଟିଏ ଜାଗାରେ ଛୋଟ କୁଡ଼ିଆଟି କରି ରହନ୍ତି । (ପାଠକ ! ପ୍ରଭା ଅବିବାହିତା) । କିନ୍ତୁ ମଣିଷର ମନ ଅଭୁତ ଉପାଦାନରେ ଗଢ଼ା, କେତେଦିନ ବା ପ୍ରକୃତି ନେଇ ରହିବ ? ପୁଣି ହୁଏତ ଦୁନଆର ଗୋଳମାଳ ଭିତରକୁ ଫେରିବାର ଇଚ୍ଛା ହେବ । ମଣିଷ ମନ ସାଥୀ ଚାହେଁ, ସବୁବେଳେ । ହୁଏତ ମନ ମୁତାବକ ସାଥୀ ଥିଲେ ସବୁ ପରିସ୍ଥିତିରେ ତୃପ୍ତି ଆସେ । ତେବେ ବେଳେ ବେଳେ, ସେ ଯେପରି ଲେଖିଛି escape to nature is essential for the upkeep and uplift of our souls, ନୁହେଁ ? ତୁମେ ହୁଏତ ମୋ ସଙ୍ଗରେ ରାଜି ହେବ ନାହିଁ, କାରଣ ତୁମର କର୍ମମୟ ଜୀବନ ଭିତରେ ତୁମେ ନିଜର Soul କୁ uplift କରିଛ by listening to the sad cry of humanity.

 

ମୋର ଏ ଓଡ଼ିଆ ଓ English ମିଶା expression ଦେଖି ତୁମେ ରାଗିବ ନିଶ୍ଚୟ। ହେଲେ ମୁଁ କଣ କରିବି ? ଡମୋର କୌଣସି ଗୋଟାଏ language ଉପରେ mastery ନ ଥିବାରୁ ମୋର expressionର quality ଟିକିଏ poor, ତେବେ ମୁଁ ଭାବେ So long expression is spontaneous, language ସାଙ୍ଗରେ କଣ ଅଛି ? Any peg will do to hang on the coat.

 

ମୋର queer ideas ସବୁ ଶୁଣି ମନେ ମନେ ହସିବ, ହସ- ସେଥିରେ କ୍ଷତି କଣ ? ନା ?

ତାପରେ ପୁଣି ଲେଖିଛି- ମୁଁ ଏକା ଏକା ଥାଏ-ସମୟ ସମୟରେ ମୋତେ ଅଳ୍ପ ଏକା ଏକା ଲାଗେ । ତେବେ ମୋର ତ ଚିରଦିନ lonely life, Loneliness suits me better than anything else ତଥାପି ସମୟେ ସମୟେ boring ଲାଗେ କିନ୍ତୁ ହାତରେ ଭଲ ବହି ଖଣ୍ଡିଏ ପାଇଲେ ସବୁ ମୁଁ ଭୁଲିଯାଏ ।

 

ଅନ୍ତଃସଲିଳା ଫଲ୍‌ଗୁ ପରି ପ୍ରତ୍ୟେକର ହୃଦୟରେ ଏହି ପ୍ରେମର ପ୍ରବାହ ବୋହୁଛି- ଏଥିରେ ସନ୍ଦେହ ଅଛି କି ?

 

ନଳିନୀ fixed ପ୍ରଭା ଅଦ୍ୟାପି ଜୀବନରେ fixed ହୋଇ ନାହିଁ । ହୁଏତ ସେ ବିବାହ କରିବ- ନୋହିଲେ ନିଜ ଭିତରେ fixed ହୋଇ ରହିବ । ସନ୍ନ୍ୟାସିନୀ ଜୀବନ ହେଲେ ବି ପ୍ରେମର ଜୀବନ ହେବ ନାହିଁକି ? ସୁନ୍ଦର, ମଧୁମୟ, ଆନନ୍ଦର ଜୀବନ ହେବ ନାହିଁକି ?

କାହିଁକି ନ ହେବ ?

କିନ୍ତୁ କିଏ କହିପାରେ-

 

ବିବାହରେ ପ୍ରଭା fixed ହେବ ବା ନିଜ ଭିତରେ ସେ fixed ହେବ । ଯାହାହେଉ ପ୍ରଭା ଯେ ସୁନ୍ଦର, ସ୍ନେହଶୀଳା ଏଥିରେ ସନ୍ଦେହ ନାହିଁ । ତାର ego ନାହିଁ- ସେ ପାଠ ପଢ଼ିଛି, ବିଦୂଷୀ ହୋଇଛି । ଏଇଟାଇ ଲାଗେ ଭଲ-ପ୍ରଭାକୁ ଦେଖିଲେ । ଏହାହିଁ ମଧୁମୟ ସୁନ୍ଦର । ପ୍ରଭା କନ୍ୟା । ନଳିନୀ ସ୍ତ୍ରୀ ।

 

ସୌଦାମିନୀ ବାଳିକା ବିଦ୍ୟାଳୟରେ ପଢ଼େ- ମାଇନର କ୍ଲାସରେ ।

ତାର ବୟସ ହୋଇଛି । ପହିଲି ରଜଃ ଦେଖା ଦେଇଛି । ସେ ଚମକିଛି ଭାରି । ଏ କଣ ହେଲା ? କଣ କରିବ ସେ ?

ତା ସାଙ୍ଗକୁ ଆଉ ଗୋଟିଏ ଝିଅ ଅଛି । ନାମ ଗୌରୀ । ସେ ବୟସ ପାଇ ନାହିଁ । ସେଥିପାଇଁ କିଛି ବୁଝି ପାରି ନାହିଁ । ତଥାପି ସେ ସୌଦାମିନୀକୁ ସାହାଯ୍ୟ କରିବାକୁ ଚାହେଁ । ସେ ଦେଖିବାକୁ ଚାହେଁ କଣ ହୋଇଛି ।

 

କୁତୁହଳୀ ସେ । କିନ୍ତୁ ସୌଦାମିଦୀ ତା’ ଜଣାଇ ଦେବ ନାହିଁ- ବଡ଼ ଲଜ୍ଜା ହୋଇଛି, ସରମ ହୋଇଛି ।

ଏହି ସୌଦାମିନୀର ହେଡ଼ମାଷ୍ଟର ଯୁବକ । ସେ ରତି ବିଳାସ କରି ସାରିଛି । ସେ ବିବାହିତ ତାର କନ୍ୟା ହୋଇଛି । ବର୍ତ୍ତମାନ ସେ ଏକାକୀ । ଏଣୁ ସ୍ୱଭାବତଃ ଆକର୍ଷଣ- ସେ ସୌଦାମିନୀର ମୋହରେ ।

 

ଏଥିରୁ ରକ୍ଷା କରିବା ପାଇଁ ମଦନ ମୋହନକୁ ଚାକିରିରୁ ହଟାଇବାକୁ ହେଲା । ତାର ସ୍ତ୍ରୀ ହେମପ୍ରଭା ଏଥିପାଇଁ ଜାଗ୍ରତ । ଯାହା ହେବାର ହେଲା । ମଦନ ମୋହନର ଚାକିରି ଗଲା । ଆଉ ଚାକିରି ନାହିଁ । ଏଣେ ଆଉ ଚାକିରି ଯୁଟୁ ନାହିଁ । ଯେଉଁଠି ଚେଷ୍ଟା କରେ, ସେଇଠି ସେ ପରାସ୍ତ ହୁଏ । ଅଥଚ ତାଙ୍କର ସାଙ୍ଗ ସାଥୀମାନେ ଚାକିରି ପାଇ ଯାଉଛନ୍ତି ।

ମଦନମୋହନ ଚାହେଁ ସ୍ୱତନ୍ତ୍ର ହେବା ପାଇଁ । ସେ ଥାଏ ଶ୍ୱଶୁର ଘରେ । ଶ୍ୱଶୁର ସାହାଯ୍ୟ କଲେ ମଦନମୋହନର ଚାକିରି ସହଜରେ ହୋଇଯିବ ବୋଲି ତାର ବିଶ୍ୱାସ । ଆଉ ତାର ବିଶ୍ୱାସ ଯେ ବୀର ନାରାୟଣ ବାବୁ ତାକୁ ସାହାଯ୍ୟ କରୁ ନାହାଁନ୍ତି ।

ଫଳତଃ ମଦନମୋହନ ହେଲା ବୀରନାରାୟଣ ବାବୁଙ୍କର ଶତ୍ରୁ । ସେ ବୀର ନାରାୟଣ ବାବୁଙ୍କ ବିରୁଦ୍ଧରେ ଏଣେ ତେଣେ ଗୁପ୍ତ ଚିଠି ଲେଖିବାକୁ ଚାହିଁଲା- ବୀରନାରାୟଣ ବାବୁଙ୍କର ଚରିତ୍ର ଅତି ମନ୍ଦ, ଅଶୋଭନ ।

 

କିନ୍ତୁ ବୀରନାରାୟଣ ବାବୁଙ୍କର ଖ୍ୟାତି ଥାଏ; ସୁତରାଂ ଖବର କାଗଜ ବାଲାମାନେ ମଦନମୋହନର ଚିଠି ଛାପିଲେ ନାହିଁ ।

ତଥାପି ବନ୍ଧୁବାନ୍ଧବ ଗୁରୁସ୍ଥାନୀୟ ଲୋକଙ୍କ ମନରେ ଗୋଟିଏ ସନ୍ଦେହ ସ୍ଥାପିତ ହେଲା । ଏପରିକି ବୀରନାରାୟଣ ବାବୁଙ୍କ ଚରିତ୍ର ସଂବନ୍ଧରେ ଭିତରେ ଭିତରେ ନାନା enquiry ଚାଲିଲା । କିନ୍ତୁ ସବୁ ଢ଼େଉ ଥମିଗଲା ।

 

ଏଣେ ମଦନମୋହନକୁ ହେଲା ଟାଇଫଏଡ଼ । ସେଥିରେ ତାର ହେଲା ଶେଷନିଦ୍ରା । ଶେଷ ନିଦ୍ରା ପୂର୍ବରୁ ସେ ଅନୁତପ୍ତ ହୋଇଥିଲା- ବୀରନାରାୟଣ ବାବୁଙ୍କ ଠାରୁ କ୍ଷମା ମାଗିଥାନ୍ତା- ପାରିଲା ନାହିଁ- ବୀରନାରାୟଣ ବାବୁ ଅନୁପସ୍ଥିତ ।

ମଦନମୋହନର ଲୀଳା ସାଙ୍ଗହେଲା- ଲୋଭ ରହିଗଲା- ପରିତୃପ୍ତ ହେଲା ନାହିଁ । ଦୋଷ କି ତାର ?

ନାଁ, ବୀରନାରାୟଣ ବାବୁ ମଧ୍ୟ ସେପରି ଲୋଭରେ ଆକୃଷ୍ଟ ହୋଇ ନାହାନ୍ତି କି ? ହୋଇଛନ୍ତି । କିନ୍ତୁ ଏତେଟା ନୁହେଁ । ଯୁବକ ଯେତେ ଉତାଲା - ପୌଢ଼ ସେତେ ନୁହେଁ ।

 

ହେମପ୍ରଭା ହେଲା ବିଧବା । କିନ୍ତୁ ବୈଧବ୍ୟ ସୌନ୍ଦର୍ଯ୍ୟ ବେଶୀ ଦିନ ରହିଲା ନାହିଁ । ଯୌବନର ତରଙ୍ଗରେ ସେ ହେଲା କୁଳ ପ୍ଲାବିନୀ- ଇତସ୍ତତଃ ଧାବିନୀ- ଶେଷରେ ସବୁ ଜଣା ପଡ଼ିଗଲା- କେତେହେଲା ଚେଷ୍ଟା- କେତେହେଲା ଗୋପନ- କେତେହେଲା ଭୃଣହତ୍ୟା- କିନ୍ତୁ ତୃପ୍ତି କାହିଁ ? ଜନନୀର ପରିତୃପ୍ତି କେବଳ କାମୋପଭୋଗରେ ନୁହେଁ- ସୁତରାଂ ଏଥର ପ୍ରକାଶ୍ୟରେ ପୁରୁଷ ସହ ବସ ବାସ... ଜଣକୁ ଆପଣାର କରି ।

 

ହିନ୍ଦୁ ଘରେ ବେଶୀ ପ୍ରେମ କାରବାର ହୁଏ ନାହିଁ । ଯାହାହୁଏ ବିଧବାକୁ ଘେନି । କାରଣ ବାକୀ ସବୁତ ଅଳ୍ପ ବୟସରେ ବିବାହିତା ହୋଇ ଘର କରୁଥାନ୍ତି- ପ୍ରେମ କରିବାର ଅବସର ତାଙ୍କର ନାହିଁ । ଅବଶ୍ୟ ଏବକୁ କାଳ ବଦଳିଛି । ବାଳିକାମାନେ ଯୁବତୀ ହୋଇ ସ୍କୁଲ କଲେଜରେ ପାଠ ପଢ଼ୁଛନ୍ତି- ପୁଣି ଅନେକ ପାଠ ପଢ଼ିସାରି ବିବାହିତ ନ ହୋଇ ଚାକିରି ବାକିରି କରୁଛନ୍ତି- ଅତଏବ ଆକର୍ଷଣ ଖୁବ୍‌ରହିଛି ଦୁଇଆଡ଼ୁ – ପୁରୁଷ ଆଡ଼ୁ ତଥା ସ୍ତ୍ରୀ ଆଡ଼ୁ ।

 

ଆଉ ହୁଏତ ପ୍ରେମର ଅଭିଜ୍ଞତା ଉଭୟର ହୋଇଛି- ଥରେ ଥରେ- ଜୀବନ ଯାତ୍ରା ପଥରେ- ମାତ୍ର ତାହା ଶଙ୍କିତ ଭାବରେ ସନ୍ତର୍ପଣରେ ।

ଏଥିପାଇଁ ପର ଜୀବନରେ ଅନେକ ସମୟରେ ଚାଲିଥାଏ ଅନେକ ଦିନ ଧରି courtship ଚାଲିଥାଏ ବର୍ଷ ବର୍ଷ ଧରି- ତାପରେ ହୁଏତ ପ୍ରଜାପତି ଫୁଲ ଉପରେ ବସେ ଏବଂ ତା’ପରେ ଘରଦ୍ୱାର ବନ୍ଧା ହୁଏ- ପିଲାଛୁଆ ହୁଏ ।

 

ଆଜି ପୁଣି ଦିନ ବଦଳିଛି । ଭଦ୍ର ଘରର ଝିଅ ନାଚୁଛି । ପୁଣି ନାଚୁଛି ଆଉ ଜଣକୁ Partner କରି, ସାଙ୍ଗରେ ଧରି । ଜଙ୍ଗଲୀ ମାନଙ୍କ ଭିତରେ ନାଚ ଥିଲା- ପୁରୁଷ ସ୍ତ୍ରୀ ମିଶି ମଧ୍ୟ ନାଚ କରନ୍ତି- କିନ୍ତୁ ସେଥିରେ ସଂଭ୍ରମ ଥାଏ ଯଥେଷ୍ଟ । ଆଜି କିନ୍ତୁ ଅନେକ ସମୟରେ ଛାୟାଚିତ୍ରପଟରେ ପୁରୁଷ ସ୍ତ୍ରୀର ଯୁଗ୍ମ ଭିଡ଼ାଭିଡ଼ି ଓ ନୃତ୍ୟ ଅପାର ମଣିଷକୁ କେଉଁଆଡ଼କୁ ଘେନିଯାଉଛି କିଏ କହିବ ?

 

ଆଜି ନୃତ୍ୟ ତ ଘୃଣାଜନକ ନୁହେଁ- ବରଂ ଥାକକୁ ଥାକ- ନୂଆ ନୂଆ ଯେଉଁମାନେ ଭଦ୍ର ହେଉଛନ୍ତି ସେମାନଙ୍କର ମଧ୍ୟ ସାନ ସାନ ଝିଅ ନାଚ ଶିଖୁଛନ୍ତି- ସ୍କୁଲରେ ନାଚ ହେଉଛି-

 

ଆଉ ଯେଉଁମାନେ advanced ସେମାନଙ୍କ ଘରେ * ଗାଭୁ ବାଳିକା ଅର୍ଥାତ ଯେ ଗର୍ଭଧାରଣ କରିବା ଶକ୍ତି ଅର୍ଜନ କରିଛି ସେ ମଧ୍ୟ ନାଚୁଛି- ଖବର କାଗଜରେ ଛପା ହେଉଛି ତାର ଛବି- ଏପରି ଅବସ୍ଥାରେ ତୁମର ଆମର ବୁଢ଼ାବୁଢ଼ୀଙ୍କର ଦଶା କଣ ? ଆମେ ହୁଏତ ଖାଲି ଏହାକୁ ଦେଖି ହା ହତୋସ୍ମି ହେଉଛୁଁ- କାହିଁକି ? ଆମର ବୟସ ନାହିଁ ବୋଲି, ନା ଆମେ ତାକୁ ସମାଜର ଆଦର୍ଶ କରିବାକୁ ଚାହୁଁନା ବୋଲି, ନା କଣ ? କିନ୍ତୁ ଆମେ ତ ଦେଖୁଛୁଁ ରକ୍ଷଣଶୀଳ, ଅତି ରକ୍ଷଣଶୀଳ ପଣ୍ଡିତଙ୍କ ଛୋଟ ଝିଅମଧ୍ୟ ନାଚୁଛି- ଆଉ ପଣ୍ଡିତଙ୍କ ବଡ଼ ଝିଅ ମଧ୍ୟ ପହିଲି ରଜ ପରେ ସ୍କୁଲକୁ ଯାଉଛି । ପାଠ ପଢ଼ୁଛି- ଏପରିକି କଲେଜରେ ପାଠ ପଢ଼ିସାରି ମହିଳା Professor ମଧ୍ୟ ହେଉଛି- ଖାଲି ଏତିକି ନୁହେଁ କେହି Clubକୁ ଯାଇ ନିଷିଦ୍ଧ ରସ ପାନ କରୁଛନ୍ତି । କାଳ ବଦଳିଲା- ବଦଳୁଛି- ତୁମେ ଆମେ ଅପରିବର୍ତ୍ତନୀୟ ରହିବୁଁ କିପରି ?

* ଅସମୀୟା ଭାଷା ଗ୍ରାଭ୍ରୁ = ଯୁବତୀ

 

ହିନ୍ଦୁ ଘରେ ମଧ୍ୟ ଆସୁଛି ସୁଅ ପରି ମାଡ଼ି ଏହି ନାଚ । ଯୁବକ ଯୁବତୀ ନାଚ-ବିବାହ ପୂର୍ବରୁ ଧାଙ୍ଗଡ଼ା ଧାଙ୍ଗଡ଼ୀ ନୃତ୍ୟ- ପୁଣି ବିବାହିତ ହୋଇ ସାରିଲେ ଏ ତାର ସ୍ତ୍ରୀ ସହିତରେ- ସେ ଏହାର ସ୍ତ୍ରୀ ସହିତରେ- କ୍ଲବରେ ଯେପରି ନାଚ- ଏହା ଆସୁଛି ହିନ୍ଦୁ ପରିବାର ଭିତରକୁ, ସୁଅ ପରି ମାଡ଼ି ଆସୁଛି ।

 

ପୂର୍ବର ସଂଯମ ଆଉ ନାହିଁ । ଏଣିକି ସିଗାରେଟ ଚା ତ ହେଲାଣି ଭଦ୍ରଘରର ଚିହ୍ନ । ଏଣିକି ବାଲ୍ୟବିବାହ ହେଲାଣି ଭଦ୍ରଘରର ଚିହ୍ନ । ଏଣିକି ବାଲ୍ୟବିବାହ ହେଲାଣି ପାଷଣ୍ଡତା ଆଉ ଯୁବତୀ ବିବାହ-ବିବାହ ପୂର୍ବରୁ ଗୋଟିଏ ଯୋଡ଼ିଏ ଲୁଚି ଲୁଚି ସନ୍ତାନୋତ୍ପତ୍ତି- ବା ଗର୍ଭପାତ- ଏହା ହେଲା ନବ୍ୟ ଶିକ୍ଷାର ସଭ୍ୟ ରୀତି ।

 

ଏକ କରିବାକୁ ଯାଇ ଆମେ ଆରେକ କରୁଛୁଁ ।

 

ଯୁବତୀ-ଶିକ୍ଷା-ପୁଣି ଅବିବାହିତା- ତା ପରେ ରୋଜଗାର- ସରକାରୀ ଚାକିରୀ- ସୁତରାଂ ଇୟାର ମଧ୍ୟ ଯୁଟୁଛନ୍ତି-ଇୟାର୍କି ମଧ୍ୟ ଚାଲିଛି-

ସମାଜର ଏହା ଏକ ଅଙ୍ଗ ହେବାକୁ ବସିଲାଣି । ଏହା ଏକ ନୂତନ ଢ଼ଙ୍ଗ ।

 

କିନ୍ତୁ ତାହାରି ଭିତରେ ପୁଣି ଚେଷ୍ଟା କରାଯାଉଛି ଏହିମାନଙ୍କୁ କାମରେ ଲଗାଇବା ପାଇଁ- ଦେଶ ସେବା କରିବା ପାଇଁ- ରାଜନୀତିରେ ଭାଗ ନେବା ପାଇଁ- ମ୍ୟୁନିସିପାଲିଟିରେ ମେମ୍ୱର ହେବା ପାଇଁ- ପାର୍ଲିଆମେଣ୍ଟକୁ ଯିବାପାଇଁ-ପ୍ରଦେଶିକା ବ୍ୟବସ୍ଥାପକ ସଭାର ମେମ୍ୱର ହେବା ପାଇଁ । ଏଥିରେ ବିବାହିତା ଅବିବାହିତା ଉଭୟ ଅଛନ୍ତି । ଏମାନଙ୍କ ଭିତରୁ ଯେଉଁମାନଙ୍କର ଆହ୍ଲାଦିନୀ ଶକ୍ତି ଅତିରିକ୍ତ ଅଛଇ ସେହିମାନେ Successful ହେଉଛନ୍ତି, ଆଉ ଯେଉଁମାନେ ଗମ୍ଭୀର, ସ୍ଥିର-ସେମାନେ ସ୍ଥିର ହୋଇ ରହି ଯାଉଛନ୍ତି ।

 

ମୁସଲମାନଙ୍କ ସମୟରୁ ଭାରତରେ ପର୍ଦ୍ଦା ଆସିଛି ବୋଲି ମୁହାଯାଏ । ସେ ଯାହା ହେଉ, ଯୁବକ ଯୁବତୀର ସୁବିଧା ମିଳନରେ ଯୌନ ଆକର୍ଷଣ ଯେ ଅବଶ୍ୟମ୍ଭାବି ଏହା କି କେହି ଅସ୍ୱୀକାର କରିବେ ?

 

କିନ୍ତୁ ଗୋଟିଏ କଥା ପ୍ରଥମ ପାଳି ରଜଃଠାରୁ ସାବଧାନ ହୋଇ କେତେ ପାଳି ରହିଲା ପରେ ପଢ଼ାପଢ଼ି ଯଦି ଚାଲିଥାଏ ତାହାହେଲେ ବାଳିକା ନିଜେ ସାବଧାନ ହୋଇ ଉଠେ ଏବଂ ସେ କଥାଟା ବୁଝି ପାରେ ଏବଂ ପରେ Romance ଟିକିଏ ଟିକିଏ ଚାଲିପାରେ କିନ୍ତୁ ସହଜରେ କାବୁ ହୋଇ ଯୁବତୀ ବାଳିକା ହଠାତ୍‌କାହାର କବଳରେ ପଡ଼ିବାକୁ ଉଚ୍ଛା କରେ ନାହିଁ । ସେ ବିଷୟରେ ସେ ସାବଧାନ ରହେ । ଯେ ହତଭାଗୀ- କଥାଟା ବୁଝିପାରେ ନାହିଁ- ଆଉ ଯାହାର ପୁରୁଷ ସହିତ ସମ୍ପର୍କ ବେଶୀ ସେଠି ହୁଏତ ଗୋଳମାଳ ଘଟିପାରେ ଏବଂ ପ୍ରକାଶ ହୋଇ ଯାଇପାରେ- ପାପଟା ବା ପ୍ରଣୟଟା ପ୍ରସ୍ପୁଟ ହୋଇପାରେ । ତାହା ନହେଲେ ସହଜରେ ସେଟା ସେତେ ଦେଖା ଦିଏନାହିଁ । ତାହା ଚାପା ହୋଇ ଆସ୍ତେ ଆସ୍ତେ ରହିଯାଏ ।

ଆଜି Rotary Club ଚାଲିଛି- ଆମରି ଅଙ୍ଗନାମାନେ ସେଠିକୁ ଯାଉଛନ୍ତି ଏବଂ ପୁରୁଷ ସ୍ତ୍ରୀର ଅବାଧ ମିଳନ ହେଉଛି ଟିକିଏ ଟିକିଏ Whisky, Brandy ଖିଆ ହେଉଛି- ତାପରେ ଖାନା-ବଡ଼ ମଉଜ- ୨।୩ ଘଣ୍ଟା – ତାପରେ ଘରକୁ ଫେରବିା ଏହି ଜୀବନ- Club life ଆମ ଭିତରେ ଆସ୍ତେ ଆସ୍ତେ ପଶୁଛି । ଯେଉଁମାନେ ସଂଯମର ଅଭାବରେ ସେଠାରେ ପଡ଼ୁଛନ୍ତି ସେମାନେ ଏକପ୍ରକାର ଆନନ୍ଦହିଁ ପାଉଛନ୍ତି ଆଉ ରୋଜଗାର ତ କରୁଛନ୍ତି । ସୁତରାଂ ଯଥେଷ୍ଟ ମାସିକ ଚାନ୍ଦା ଆଉ ଖର୍ଚ୍ଚ କରୁଛନ୍ତି । ଏଣିକି ଅଭାବ ହେଲେ ଭ୍ରୂଣହତ୍ୟା ଓ ଶିଶୁ ହତ୍ୟା ବଦଳରେ ଜନ୍ମନିରୋଧ କରାଯାଉଛି- Operation କରିନିଅ- ଆଉ ଗର୍ଭବତୀ ହେବାର ଭୟ ନାହିଁ । ତୁମେ ବି ପୁରୁଷ Operation କରିନିଅ ତାହାହେଲେ ଆଉ କାହାକୁ ଗର୍ଭବତୀ କରି ପାରବି ନାହିଁ । ତେଣିକି ଛାତି ଫୁଲାଇ ବାଟ ଚାଲିପାରିବ- ଜନ୍ମ ବେଶୀ କରୁଛନ୍ତି ଯେଉଁମାନେ ସେମାନଙ୍କୁ ନିନ୍ଦା କରିବ ।

 

ନୂତନ ସଂସାର- ନୂତନ ସର୍ଜନା ଆସିଲାଣି ଏହିପରି ଆମ ଭିତରେ । ଏଥିରେ ଆମେ ଭାଗୀଦାର ନହେଲେ ମଧ୍ୟ ଆମର ପୁଅ ଝିଅ ବୋହୁମାନେ ଆନନ୍ଦରେ ଭାଗୀଦାର ହେଉଛନ୍ତି ଏବଂ ଆଉ ବାକୀ ଧୀରେ ଧୀରେ ହେବେ ଦେଖାଯାଉଛି ।

 

ପୂର୍ବରୁ ବୁଢ଼ାବୁଢ଼ୀମାନେ ଘଣ୍ଟା ବଜାଉଥାନ୍ତୁ- ପୂଜା କରୁଥାନ୍ତୁ- ଏଣକି ନୂଆବୋହୂ ନୂଆ ପୂଅମାନେ ଘଣ୍ଟା ବଜାଇବେ ନାହିଁ, ଠାକୁର ପୂଜା କରିବେ ନାହିଁ; ଈଶ୍ୱର ମାନିବେ ନାହିଁ, Religion ମାନିବେ ନାହିଁ; Secular ହେବେ କୌଶଳୀ ହେବେ । ସତ କହିବା ଦରକାର ହେଲେ ସତ କହିବେ- ମିଛ କହିବା ଦରକାର ମିଛ କହିବେ- ଏହା ତ ବାହାଦୂରି ।

 

ଜରେ ଅଫିସର କହୁଥିଲେ, କଥା ତ କହିବେ- ଯେତେବେଳେ ଯାହା ଦରକାର ହେବ ସେପରି ତାହା କରିବ- ସତ ମିଛ ଗୋଟାଏ କଣ ? ସତ ମିଛ କିଛି ନାହିଁ । କଥା କହିବାର ପଟୁତା, ଚାତୁର୍ଯ୍ୟ ଅର୍ଜନ କରିବାକୁ ହେବ।

ଆଉ ଏଣିକି ପାନିଆଟା ସବୁବେଳେ ପକେଟରେ ରଖିବ- ଆଉ ସେହି ପାନିଆ ସାଙ୍ଗରେ ଗୋଟାଏ ଛୋଟ ଦର୍ପଣ ଥିବ- ସବୁବେଳେ ଲମ୍ୱବାଳ ବିଛିଡ଼ି ହୋଇ ଯାଉଥିଲେ ସଜାଡ଼ି ଦେଉଥିବ- ଏଣିକି ଆଉ କେହି ଲଣ୍ଡା ହେବେ ନାହିଁ- ଲଣ୍ଡା ହେବା କଦର୍ଯ୍ୟତା- ଅଶ୍ଳୀଳତା-ଅଭଦ୍ରତା- ମହା ଅଯୋଗ୍ୟତା ।

 

ଯୁବକ ବିବାହିତ- ଯୁବତୀ ଅବିବାହିତା-ତଥାପି ଏ ଦୁହେଁ ସୁବିଧା ପାଇଲେ ପ୍ରେମରେ ମାତିବେ ଏଥିରେ ସନ୍ଦେହ ଅଛି କି- ପ୍ରେମାଳାପ ତ ସାମାନ୍ୟ କଥା । ଅଲିଙ୍ଗନ, ଆଲୋଚନା, ଦୁଷ୍କୃତି ମଧ୍ୟ ମାର୍ଜନୀୟ । ଏହା କାହାରି ଦୋଷ ନୁହେଁ- ଏହା ପାରିପାର୍ଶ୍ୱିକ ଅବସ୍ଥା ଘଟାଏ- ଅତଏବ ପାରିପାର୍ଶ୍ୱିକ ଅବସ୍ଥାହିଁ ଏଥିପାଇଁ ଦାୟୀ ।

ଅଥଚ ଏହା ମଧ୍ୟ ଆମେ ଦେଖିଛୁ, ଦେଖୁଛୁ ଯେ ଛୁଆପିଲାର ମା ହୋଇ ମଧ୍ୟ କେତେକ ସ୍ତ୍ରୀଲୋକ Exhibitionist । ସେମାନେ ସେମାନଙ୍କର ତନୁ ଅଙ୍ଗ ବିଭାଗ ଦେଖାଇ ହୁଅନ୍ତି ପୁରୁଷକୁ ସେହ ବିପଦରେ ପକାଇବା ପାଇଁ ।

ଏ ତ କୁହାଗଲା ନାରୀ ପକ୍ଷରେ । ନାରୀ ଯେପରି, ପୁରୁଷ ମଧ୍ୟ ସେହିପରି । ନର ନାରୀ ମଧ୍ୟରେ ଭେଦ ନାହିଁ ଏହି ଯୌନ କ୍ଷୁଧାର ପ୍ରକାର ନେଇ ।

ନରର ନାରୀ ପ୍ରତି ଯେପରି ଆକର୍ଷଣ, ଅନେକ ସମୟରେ ସମଯୋନି ବିଶିଷ୍ଟା ସ୍ତ୍ରୀର ସ୍ତ୍ରୀ ପ୍ରତି ସେହିପରି ଆକର୍ଷଣ, ପୁଣି ସେହିପରି ପୁରୁଷର ପୁରୁଷ ପ୍ରତି ଆକର୍ଷଣ । ମାତ୍ର ଏହା ସଚରାଚର ଦେଖାଯାଏ ନାହିଁ । ଏହା ସାଧାରଣ ନିୟମର ବହିର୍ଭୂତ ।

ବିଭଙ୍ଗୀକୁ ଆମେ ଏହିପରି ଦେଖିଛୁ । ଚମ୍ପକୀକୁ ଆମେ ଏହିପରି ଦେଖିଛୁଁ । ହେମଚନ୍ଦ୍ରକୁ ଆମେ ଏହିପରି ଦେଖିଛୁଁ । ଅଥଚ ଆମେ ତ ଭକ୍ତିମତୀ ସ୍ତ୍ରୀଲୋକଙ୍କୁ ଦେଖିଛୁଁ । ନୟନାବତୀ ଏଣେ ତେଣେ ଟିକିଏ ହୋଇଗଲେ ମଧ୍ୟ ସେ ବଡ଼ ଭକ୍ତିମତୀ- ସ୍ନେହ ଶ୍ରଦ୍ଧାଶୀଳା ।

ଅଥଚ ଏହା ବି ମଧ୍ୟ ଦେଖିଛୁଁ- ପୁରୁଷ ନିଜେ ବ୍ୟଭିଚାରୀ । ତେଣୁ ସେ ନିଜ ସ୍ତ୍ରୀକୁ ସନ୍ଦେହ କରେ ଏବଂ ତାକୁ ଗୋଡ଼େ ଗୋଡ଼େ ରଖେ- ଏପରିକି କେତେବେଳେ ତାକୁ ବହି ପଢ଼ିବାର ଦେଖିଲେ ତାକୁ ନିଆଁ ଚେଁକା ଦିଏ- ତା ବାଳ ପୋଡ଼ିପକାଏ- ତା ବହି ଚିରିଦିଏ- ନିଆଁରେ ପକାଇ ଦିଏ- ବିଚିତ୍ର ଏ ସଂସାର ! ବିଚିତ୍ର, ବଡ଼ ବିଚିତ୍ର ।

ଆଜି ନାରୀ ପୂର୍ବାପେକ୍ଷା ଅନେକ ମୁକ୍ତା ସ୍ୱାଧୀନା । ତେଣୁ ନାରୀର ଉତ୍‌ଥାନ ହୋଇଛି କି ପତନ ହୋଇଛି-ସତୀବ୍ରତ ପାଳିତ ହେଉଛି କି ପତିବ୍ରତ ପାଳିତ ହେଉଛି- କହି ହେବନାହିଁ । ସଂସାରଟା ପରିବର୍ତ୍ତିତ ହୋଇଛି ଏବଂ ହେଉଛି- ଏଥିରେ ସନ୍ଦେହ ନାହିଁ- ଆହୁରି ପରିବର୍ତ୍ତିତ ହେବ ମଧ୍ୟ । ତାର ରଙ୍ଗୀନ ଇସାରା ଧକ୍‌କା ସବୁ ଆସୁଛି ।

କିନ୍ତୁ ଯାହା ହେଉ ତାହା ହେଉ- କଦର୍ଯ୍ୟତା ମଧ୍ୟରୁ ସୌନ୍ଦର୍ଯ୍ୟ ମଧ୍ୟ ଦେଖାଯାଏ ଏବଂ ତଥାକଥିତ ସୌନ୍ଦର୍ଯ୍ୟ ମଧ୍ୟରେ କଦର୍ଯ୍ୟତା ଉଙ୍କି ମାରୁଥାଏ । ତେଣୁ ବେଶ୍ୟାକୁ ମଧ୍ୟ ସ୍ୱାଗତ କରଯାଇପାରେ । ବେଶ୍ୟା କି ଖାଲି ବାରବିଳାସିନୀ ?

 

ଆସ ବେଶ୍ୟା !

ତୁମେ କି ଖାଲି ବାରବିଳାସିନୀ ?

 

ତୁମେ କି ନୁହଁ ଦୁର୍ଗା ଧର୍ମରଧାରିଣୀ ?

ଜାତି ଯେତେବେଳେ ପତିତ ତଳେ

 

ଉଚ୍ଚ କର ତାର ମଥା

ତୁମେ ବି ଆସ ବାହାରି

ମୁକ୍ତି ମନ୍ତ୍ର ଉଚ୍ଚାରି

ଶକ୍ତି ମନ୍ତ୍ର ଉଚ୍ଚାରି

 

ପୂତ ପବିତ୍ର ମନ୍ତ୍ର ଉଚ୍ଚାରି

ସ୍ନାନ କରି ମହୋଦଧି କାଠଯୋଡ଼ି ବାରି

ଉଠ ତୁମେ ! ଏ ଜାତିର ଯୁବକକୁ

ନକର ନେଫଡ଼ା

 

ଉଠାଅ ତୁମେ ତୁମ ଶକ୍ତି ବଳେ

ତୁମେ ନୀଚ ହେଲେବି ମାଆ ପରା !

 

ଆଉ ଯେ କନ୍ୟାକୁ ବିବାହ କରିବାକୁ ଯାଇ ବିଧବା ମାତାକୁ ବିବାହ କରିବାକୁ ବାଧ୍ୟ ହେଲା- ପୁଣି ତାର ମୁତ୍ୟୁରେ ସେ କନ୍ୟାକୁ ଆପଣାର ପ୍ରାଣଦାୟିନୀ କଲା, ଆଉ ସେହି କନ୍ୟା ନାନାସ୍ଥାନ ଭ୍ରମି ଭ୍ରମି ଶେଷରେ ଏକାକିନୀ ହୋଇ ସେହି ପୂର୍ବ ପ୍ରଥମ ଉଛିଷ୍ଟ ପତିଠାରେ ପିତା କନ୍ୟା ଭଳିଆ ରହିଲା.........

 

ଏ ଉଭୟଙ୍କୁ ଘୃଣା କରିବାର କିଛି ନାହିଁ, ଦୟା କରିବାର କିଛି ନାହିଁ- ମୁନଷ୍ୟ ମନୁଷ୍ୟ । ଅବସ୍ଥା ବଡ଼ ନା ମନୁଷ୍ୟ ବଡ଼ ତାହା କହିହେବ ନାହିଁ । ଅତଏବ ଅବସ୍ଥାକୁ ମଧ୍ୟ ସହିବାକୁ ହେବ । ଏହା ମଧ୍ୟ ଠିକ୍‌ଯେ ଏହିମାନେ ହୁଏତ ସମାଜର ମଙ୍ଗଳକାରୀ ହିତୈଷୀ- କିଛି ସେପରି ଅମଙ୍ଗଳକାରୀ ରାକ୍ଷସ ରାକ୍ଷସୀ ନୁହନ୍ତି- କେବଳ ସେତିକି ନୁହେଁ, ଏମାନେ ହୁଏତ ଦେବତା ବା ଦେବତା ନ ହେଲେ ମଧ୍ୟ ଆମରି ପରି ମଣିଷ ।

 

କୁମାରୀ ଜୀବନ ଆମର ହିନ୍ଦୁ ସମାଜରେ ଏହି ଏବେ ଆରମ୍ଭ କରାଯାଇଛି । ମିସ୍‌ଦେଖାଯାଉଛନ୍ତି ନର୍ସ ହିସାବରେ, ଡାକ୍ତର ହିସାବରେ, ପ୍ରଫେସର ହିସାବରେ, ଶିକ୍ଷୟିତ୍ରୀ ହିସାବରେ । ଆହୁରି କେତେ ରକମ ଦେଖା ଦେବେ । ରାଜନୀତିରେ ତ ଦେଖା ଦେଇଛନ୍ତି କେତେକ । ଭୋଟ ଦେବାର ଅଧିକାର ନାରୀକୁ ମିଳିଲେ ମଧ୍ୟ ସେ ପର୍ଦ୍ଦାର ଆଢ଼ୁଆଳରେ ରହିଛି- ସେ ପାଠପଢ଼ା ଶିଖି ନାହିଁ – ଖବରକାଗଜରୁ ଖବର ସଂଗ୍ରହ କରିନାହିଁ- ନିଜ ଦେଶର ଲୋକମାନେ କିଏ କିପରି ତାହା କିଛି ଜାଣିନାହିଁ । ଏହି ହେଲା ଆମର ବର୍ତ୍ତମାନର ସମାଜ । ତାରି ଭିତରେ ନାଚ- ମଦ ଖିଆ- କ୍ଲବ ଯିବା ମଧ୍ୟ ଆରମ୍ଭ ହୋଇଛି ।

 

ଆଚ୍ଛା ! ଏ ତ ଗଲା ସାମାଜିକ ପୁରୁଷ ସ୍ତ୍ରୀ ଭିତରେ ଯୌନ ସମ୍ପର୍କରେ ଗୋଳମାଳ ଘେନି । କିନ୍ତୁ ଏହାରି ଭିତରେ ପବିତ୍ର ମାତାପୁତ୍ର ସମ୍ୱନ୍ଧ କଣ ନାହିଁ ? ଅଛି । ପ୍ରାଚୀନର ରାଖିବନ୍ଧନ ଆମର ଭାଇଭଉଣୀ ସ୍ନେହର କି ସୁନ୍ଦର ଅନବଦ୍ୟ ନିଦର୍ଶନ !

ପୁନଶ୍ଚ ନାରୀ ଯେଉଁ ଦ୍ୱନ୍ଦ ସୃଷ୍ଟି କରାଏ ତାର ସମାଧାନ ଏହି ପାର୍ବତୀ ପରମେଶ୍ୱରୀଙ୍କଠାରେ । ପାର୍ବତୀ ଆମର ଆଦର୍ଶ କନ୍ୟା, ପୁଣି ଆଦର୍ଶ ସ୍ତ୍ରୀ, ଆଦର୍ଶ ନାରୀ ।

 

ନମ୍ରେ ମୁଖେ କମ୍ର କଣ୍ଠେ

ସ୍ମିତା ଗୋ ତୁମେ ବନ୍ଦନୀୟା

ବନ୍ଦନୀୟା ଶୋଭନୀୟା ତନ୍ୱି ।

 

ଯୁଗ ଯୁଗ ଅତିବାହିତ

ଯୁଗ ଯୁଗ ତପସ୍ୟାସାରିତ

ଯୁଗ ଯୁଗ ରହିବା ପାଇଁ

ଯୁଗ ଯୁଗ ଧରି ଯୁଗଳ ।

 

ସେହି ତ ମହେଶ୍ୱର

ସର୍ବପରିତ୍ୟାଗୀ ଶ୍ମଶାନଚାରୀ

ସେହି ତ ରାଜରାଣୀ କନ୍ୟା ତୁମେ

ପାଗଳିନୀ କାହାପାଇଁ

 

କାହାପାଇଁ ଶୀର୍ଣ୍ଣ ବେଶଧାରିଣୀ ?

ତ୍ୟାକ୍ତାହାର ତ୍ୟକ୍ତ ନିଦ୍ରା ଉଭେ ଉଭା

ଦର୍ଶନ ପାଇଁ, ସ୍ପର୍ଶନ ପାଇଁ,

 

 

ଅନ୍ତରେ ଅନ୍ତରେ ଚିରକାଳ

ଏ ଚିର ମିଳନ ପାଇଁ ।

ଧନ୍ୟ ତୁମେ, ଧନ୍ୟା ତୁମେ,

ହେ ପାର୍ବତୀ ! ହେ ପରମେଶ୍ୱର, ଧନ୍ୟ ଯେହ୍ନେ ହୁଏ ମୁହିଁ

 

ନତ ମୁଁ ତୁମରି ଚରଣତଳେ

ତୁମରି ପରି ହେବା ପାଇଁ

ଦିଅ ଦିଅ ସେହି ଆଶୀର୍ବାଦ

ଆହୁରି କି ମୋହର ତପସ୍ୟା

ପୂର୍ଣ୍ଣ ହୋଇ ନାହିଁ ?

ଜୀବନ ଯେ ଯିବା ଉପର

କାଳ ଯେ ଗଲାଣି ଚାଲି

ଥିର ହେଲାଣି ଇନ୍ଦ୍ରିୟ ଭାଳି ଭାଳି

 

ଥବିର ହେଲା ସକଳ ଅଙ୍ଗ ମୋର

ମାୟା ମୋହ ଅଛି ଖାଲି

ଦିଅ ହେ ଚରଣ ସ୍ପର୍ଶ

ତବ ମୁଖ ସୁଧାମୃତ ବର୍ଷ

 

ବିଗଳିତ ହେଉ ପ୍ରେମ ଏହି ଦଳିତ ପ୍ରାଣେ

ମାଗେ ମୁହିଁ ଏହି ଭିକ୍ଷା ଜୀବନର

ଏହି ଶେଷ ସମୟେ

 

ପୁଣି କହିବି- ନରନାରୀର ସମ୍ପର୍କରେ ଫୁଲ ଫୁଟେ- ଜ୍ୟୋତ୍ସ୍ନା ଆହୁରି ଧବଳ ହୁଏ- ଆହୁରି ମନୋରମ ହୁଏ- ଆହୁରି ଆହୁରି ଚିତ୍ତ ଉନ୍ମାଦକର ହୁଏ- ଆହୁରି ପ୍ରେମମୟ ହୁଏ ।

 

କାହିଁକି ତେବେ ଏତେ ବିତୃଷ୍ଣା ? ନା, ବିତୃଷ୍ଣା ନୁହେଁ- ତୃଷ୍ଣା ନୁହେଁ । ଏହି ନରନାରୀ ସମ୍ପର୍କକୁ ମଧୁର କର ସ୍ୱୀକାର କରି ।

 

ମଦନ ବାହନ ଏହି ଜନ

ପଙ୍କଜ ବାହିନୀ ସଙ୍ଗେ

ରହିଛି ରହିବ ଜୀବନ ରଙ୍ଗେ

ଅଙ୍ଗେ ଅଙ୍ଗେ ଅଙ୍ଗେ

 

ମଦନ ବାହନ ଏହି ଜନ

ବଡ଼ ବିଷମ ରହିବା ନ ରହିବା

ପୁଣି ସାଙ୍ଗେ

କିପରି ସୁ ସମାଧାନ ହେବ ଏହାର

ବିଚାରଇ ନାନା ବିଭଙ୍ଗେ ।

 

ସରିନାହିଁ ସରିନାହିଁ ସେ ବିଚାର

ନିତି ଅଭିଜ୍ଞତା ଚାଲିଅଛି ଏଥିର

କେବେ ଯେ ଏହାର ହେବ ପୂର୍ଣ୍ଣ ସମାଧାନ

କହି ନୋହିବ ଜାଣ- କହି ନ ପାରିବେ ମୁନିଜନ ।

 

କହିବେ ଏହା ପାପୀ ତାପୀ

କହିବେ ଏହା ଗୃହସ୍ଥ

ଜୀବନର ଅନ୍ତରର ଏହି ଶରୀର ମନ ବ୍ୟାପାରେ

ମାନବର ମନ ଥଳ କୁଳ ନ ପାଏ ରେ ।

 

ତଥାପି ତଥାପି ଚାଲିଛି ବିଚାରଣା

ଚାଲିଛି ନିତି ନୂତନ ଅଭିଜ୍ଞତା

ହେଉ, ଚାଲିଥାଉ, କେବେ ହେବ ପୂର୍ଣ୍ଣ କିଏ କହିବ ଯେ

ସୃଷ୍ଟିର ରହସ୍ୟ ରହସ୍ୟରେହିଁ ରହିବ ଜାଣିଥା ।

 

ଅପୂର୍ବ ଏ ଜ୍ୱାଳା ।

ଯୌବନର-ବିରହର-

(ଏଥିରେ ଯଦି କେହି ବିପଥଗାମିନୀ ହୁଏ ତାକୁ ଖଡ଼୍‌ଗହସ୍ତ ହେବା ଉଚିତ କି ?)

ସେ ଯେ ଯୌବନର ଜ୍ୱାଳା

 

ସେ ଯେ ଯୌବନର ଜ୍ୱାଳା

ଗଭୀର ନିଶୀଥେ, ଦିବା ଦ୍ୱିପ୍ରହରେ;

ଯେତେବେଳେ ଇଚ୍ଛା, ସେତେବେଳେ,

ସ୍ଥାନେ, ଅସ୍ଥାନେ,

 

ଜ୍ୱଳଇ ସେ ଜ୍ୱାଳାମୁଖୀ ନିଭାଇବାକୁ

ସେ ଅନଳ

ଚାହେଁ ସେ - ସେ ଯେ ଯୌବନର ଜ୍ୱାଳା

- ସେ ଯେ ଯୌବନର ଜ୍ୱାଳା ।

 

 

ନାହିଁ ମାନ ସଂଭ୍ରମ;

ନାହିଁ ଜାତି ପତି,

ନାହିଁ ସାନ ବଡ଼ ବିଚାର,

ସେ ଯେ ଉନ୍ମାଦିନୀ

ପ୍ରଣୟ କରିବ, ପ୍ରଣୟ କରିବ,

 

ପ୍ରକୃତି ସହିତେ ସେ ଯେ ମହାମିଳନୀ

ମାନୁନାହିଁ ମନ,

ସେ ମାନିବ କି ସମାଜ ଘରକରଣ

 

ଧାଏଁ ସେ ଉନ୍ମାଦିନୀ

ଗଭୀର ନିଶୀଥିନୀ

ସେ ନିଶାଚାରିଣୀ

ଦିବା ଦ୍ୱିପ୍ରହରେ ଅବା

ଅବା ଯହିଁ ଯେତେବେଳେ

 

କାହାର ଘରର ପିଲା ସେ

କିଏ କି ଭାବିବ ପରା !

ସେ ଭାବନା କରିବାକୁ ତାର

ଅବସର ନାହିଁ ଯେ

 

ସେ ଯେ ପ୍ରଣୟିନୀ, ଯୁବକ ଦେଖିଲେ

ହୁଏ ସେ ଉନ୍ମାନୀ

ଆଉ କରଇ ତାକୁ ଉନ୍ମନା, ଏଡ଼େ ସେ ଛନ ଛନୀ !

 

ମଙ୍ଗଳ ପଥ ସେ ଚାଲିବାର

ଜାଣେ ନାହିଁ କି ?

ସେ ଅତିଥି ଅଭ୍ୟାଗତର ମନ ଜାଣି

ସେବା କରେ କାହିଁକି ?

 

ଦୟା ଧରମ ତ ତାର ହୃଦେ ଭରା

ସେ ତ ଦିଏ ଆପଣାକୁ

ସକଳଠାରେ ହୋଇ ବିଭୋରା

ଆସୁ ସାଧୁ ସନ୍ଥ

 

କରିବ ସେବା ସେ ଅନବରତ

କିନ୍ତୁ ଉମ୍ମି ସମ ରହି ରହି

ଯେବେ ପ୍ରଣୟ ତାର କଚାଡ଼ି ହୁଏ

ସାଗର ବେଦନା

 

ସେ କି ଖାଲି ଫେରିଯିବ-ଫେରିଯିବ ବାରବାର

ନ ନିଦାରି ତାର ଏହି ପ୍ରଣୟ ପିପାସା ଦୁର୍ନିବାର ?

କି ଦୋଷ ତାର ?

ଦୋଷ ତେବେ ତାର ଯେ ଦେଇଛି

ଏପରି ଶରୀର ।

 

ପ୍ରଣୟିନୀ ଉନ୍ମାଦିନୀ

ଘରେ ରହିବ କିପରି ?

ଛାଡ଼ି ଚାଲିଯାଏ ସେ ଦୂର ସୁଦୂର ଦେଶେ

ଆପଣାକୁ କରିବାକୁ

 

ସବୁ ବନ୍ଧୁଜନଠାରୁ ଦୂର

କେହି ତ କରି ପାରିଲେ ନାହିଁ ତାର ବ୍ୟଥା ଦୂର !

କେହି ତ କରି ପାରିଲେ ନାହିଁ ତାର କାମନା ପୂର ।

ସକଳେ ଖାଲି କଲେ ଛି ଛି ! ଦୂର ଦୂର ।

 

ଆଜି ଯାଇଛି ସେ ଚାଲି ଦୂର ବିଦେଶେ

ସେ ଯଉବନୀ

ଆଜି ଯୌବନର ପଥ ପାରି ତଥାପି ସେ ପ୍ରଣୟିନୀ

ପାଇଛି ତାର ବୁକେ

 

ସେ ସେବକୀ ଅସଂଖ୍ୟ ଲୋକେ

ଟାଣିଛି ସେ ଆପଣା ପାଖେ

କେତେ ଯେ ସେବକେ

ଅଗ୍ଗ୍ୟୁତ୍‌ପାତ ଘଟିଛି କ୍ଷଣେ ପ୍ରଣୟର

 

ତାପରେ- ସବୁ ଯେ ଶାନ୍ତ-

ସେ ଯେ ମଧୁର, ସୁନ୍ଦର,

ଦେବୀ ସଦୃଶ ଋତ

ସେ ଯେ ପରମ ଲୋଭନୀୟ ତାର ପରମେଶ ଦୂତ

 

ଆଶ୍ଚର୍ଯ୍ୟ ଏ ଜଗତ

ଆଶ୍ଚର୍ଯ୍ୟ ଏ ନାରୀ ମହତ

ଆଶ୍ଚର୍ଯ୍ୟ ଏ ଉର୍ବଶୀ

ମାତ୍ର ତାର ନାମ ନୋହିଲା ବିଖ୍ୟାତ ।

 

ତଥାପି ହୃଦୟ ଭାବେ ତାହାରି ପାଇଁ

ହୃଦୟ କାନ୍ଦେ ରହି ରହି

ସେ ତ ନିଉଛୁଣୀ ନୁହେଁ

ସେ ଯେ କରିପାରେ ମହା ସେବା ସଉତୁଣୀ

 

ସେ ଯେ ଦେଇଛି ଆପଣାକୁ ନିଃସ୍ୱ କରି

ନ ଚାହିଁ ଧନ ରତ୍ନ ଆଉ କିଛି ବଡ଼ କରି

ଅନ୍ତରେ ତାର ପ୍ରଣୟରମହୋର୍ମ୍ମି ଜ୍ୱାଳା

କରିବ ସମାହିତ

 

ଅର୍ପଣ କରି ଆପଣାକୁ ସେସକଳେ ବାଳା

ତନୁ ଖୋଜେ ତାର ତନୁ

ଖୋଜେ ସେ ମହା ରାମଧନୁ

ଯହିଁ ଅଥୟ ହେବ ସେ

 

ଦେଖି ମୟୂରର ଉତ୍ତୋଳିତ ପେଖନୁ

ବହି ଯାଉଥିବ ମଳୟ

ଦିନ ଦିପହରେ

ତେବେ କି ଏ ଏଡ଼େ ଅଲକ୍ଷଣୀ ?

 

ଯେ ଦେଇଛି ତନୁ ବାଢ଼ି ସକଳେ ହୋଇ ଘରଣୀ ?

ତେବେ ଯାଉ ସେ ଘର ସଂସାର

ଆପଣାକୁ ଦେଇଛି ସେ ବିକି ହାଟବାଟର

ଜଗତ କହୁ ପଛେ ସେ କଳଙ୍କିନୀ ରାଧା

 

ସେ ଏଡ଼ାଇ ଦେଇଛି ସବୁ ତାର ବାଧା

ସେ ଯାଇଛି ଚାଲି ଆଜି ପାନ୍ଥାଳୟେ ସିଧା

ଯେଉଁ ପାନ୍ଥ ଯେବେ ଲୋଡ଼ିବ

ତାକୁ ହୋଇ ଆତୁର

 

ରହିଛି ସେ ତନୁ ଅଜାଡ଼ିବାକୁ

ହୋଇ ତରତର

ଜୀବନ ଝରଣା ଠେଲି ଉଠେ ଯେବେ ଏହିପରି

ଝରଣାର ଝର ରୋଧ କରିବ କିଏ କିପରି ?

 

ତୃଷାର୍ତ୍ତକୁ ସେ କରିଛି ତୋଷ

ଆପଣା ହୋଇ ଅତି ସନ୍ତୋଷ

ଏହି ଜଗତର ଏହି ନାରୀଟି

ଦେଇଛି ଦି ହାତେ ଅଜାଡ଼ି

 

ଆପଣା ଜୀବନ ଆପଣା ସୁଖେ

ପର ପାଇଁଟି-

ନକରି କାହାକୁ ପର

କରିଛି ସେ ସକଳେ ଆପଣାର

 

ନୁହେଁ ଅଳପ କଥା

ନୁହେଁ ଅଳପ ମରମ ବ୍ୟଥା

ଘର ଦ୍ୱାର ସ୍ୱାମୀ ସଂସାର

ସବୁ ଛାଡ଼ିଛି ସେ

 

କରିଛି ଆପଣାକୁ ଏକାକାର ।

କାମନା ମରେ ନାହିଁ ବୃଦ୍ଧ ବସି ବସି ଭାବେ ।

ଜରା ମଧ୍ୟରେ ଏ କି ଭାବନା କହ କହ ମୋତେ

ବସନ୍ତ ଦିଏ ଦେଖା କାହିଁକି ରହି ରହି ଏତେ ?

 

ବାସନା ଥାଏ ତାହା ଭିତରେ ପୂରୁବ ଗାଥା

ବିୟୋଗୀ ହୋଇ ଫେରି ଫେରି ସେ ବୁଲୁଥାଏ ଯଥା

ଦେଶ ଦେଶାନ୍ତ ଫେରି କରି ସେ ଫେରୁଥାଏ ପଛେ

ବଡ଼ ଆଶ୍ଚର୍ଯ୍ୟ ରହିଥାଏଟି ପୂର୍ବ ସ୍ମୃତି ଇଚ୍ଛେ

 

ଆହା ! ଏ କିପରି କଥା !

ମାର ଶୋଇଛି ଅନ୍ତରେ

ମାରନା ମାରନା ଗୋ ଏ ଚିତ୍ତରେ

ବେଳେ ବେଳେ ଥିଲେ ଭାବନା

 

କି ସବୁବେଳେ ମୁହିଁ ଚାହେଁ ଗୋ

ମାର ସେ ସୁନ୍ଦର, ଚେତନା ମଧୁର ।

 

ପୁଣି ଦେଖନ୍ତୁ-

ଘରଣୀ ନାହିଁ ଯାର

No life without wife

ଆଉ କିସ କରିବ କାରବାର

ସର୍ବଦା ମନ ଚଞ୍ଚଳ ମୋର

ଦିନଯାକ ପରିଶ୍ରମ କରି

 

ଘରକୁ ଆସିଲି ଫେରି

ଦେଖିଲି ଘର ଅନ୍ଧକାର ମୋର

No life without wife.

ଶ୍ରାବଣ ମାସର ଦିନ

 

ଅଧନ୍ୟ ମୋର ଏ ଜୀବନ

ନାହାନ୍ତି ପ୍ରିୟା ମୋ ପାଶେ

ହୋଇନାହିଁ ପ୍ରିୟା ଏବେ ବି-କେଉଁ ଆଶେ

ଭ୍ରମୁଛି ଏହି ସଂସାର

 

ଦୁଃଖର ଜୀବନ ମୋର ସର୍ବଦା ବ୍ୟାକୁଳ

ଯେଣିକି ଚାହେଁ ମୁଁ କେଣେ ନାହିଁ ମୋର କୁଳ

ଧନ୍ୟବାଦ ଦେବି କିପରି ଜଗତ ଈଶ୍ୱର

ପୂର୍ଣ୍ଣ କର ଏ ଜଗତେ ଜୀବନଟି ମୋର

 

ନୋହିଲେ...ନୋହିଲେ... ନା-ନା

ଆଉ ତୁଣ୍ଡ ଫିଟୁନାହିଁ ମୋର ।

 

କେତେ ଭାବନା । କେତେ ବିରହ ବେଦନା । ତା’ କଳନା କରିବ କିଏ ? କଳନା କରିବ କେତେ ?

ସ୍ତ୍ରୀର ମୋହିନୀ ଶକ୍ତି ପୁରୁଷକୁ ମୁଗ୍‌ଧ କରିଛି । ପୁରୁଷ ମଧ୍ୟ ସ୍ତ୍ରୀର ମୋହନ ହୋଇ ରହିଛି । ଯେଉଁ ଧାରଣା ସାଧାରଣଙ୍କର ଅଛି ଯେ ସ୍ତ୍ରୀ କେବଳ ପୁରୁଷକୁ ଆକର୍ଷଣ କରେ ତାହା ଠିକ୍‌ନୁହେଁ । ପୁରୁଷ ମଧ୍ୟ ସ୍ତ୍ରୀକୁ ଆକର୍ଷଣ କରେ । ଏହି ପରସ୍ପର ଆକର୍ଷଣ ବୟସରେ ହୁଏ । ଏହା ସ୍ୱାଭାବିକ । ଯେପରି ଚୁମ୍ୱକ ଆଉ ଲୁହା । କିନ୍ତୁ ଚୁମ୍ୱକ ଲୁହାକୁ ଆକର୍ଷଣ କରେ ସତ, ଲୁହା ଚୁମ୍ୱକକୁ ଆକର୍ଷଣ କରେ କି ? ମନେ କରନ୍ତୁ ଖଣ୍ଡିଏ ବଡ଼ ଲୁହା ପଡ଼ିଛି ଆଉ ଖଣ୍ଡିଏ ଖୁବ୍‌ଛୋଟ ଚୁମ୍ୱକ ପଡ଼ିଛି କିଛି ଦୂରରେ- ସେହି ଲୁହା ଖଣ୍ଡିକ ଚୁମ୍ୱକକୁ ଆକର୍ଷଣ କରି ପାରିବ କି ?

 

ବୋଧହୁଏ ତା ଖୁବ୍‌ସମ୍ଭବ ନା । ପ୍ରକୃତରେ ନା । ତାହାହେଲେ ଆକର୍ଷଣୀ ଶକ୍ତି ଚୁମ୍ୱକଠାରେ ଲୁହାଠାରେ ନୁହେଁ । ମାତ୍ର ପୁରୁଷ ଓ ସ୍ତ୍ରୀର ଆକର୍ଷଣୀ ଶକ୍ତି- ଉଭୟତ୍ର । ପୁରୁଷ ସ୍ତ୍ରୀକୁ ଆକର୍ଷଣ କରେ । ସ୍ତ୍ରୀ ପୁରୁଷକୁ ଆକର୍ଷଣ କରେ ।

 

ଏକଥା ସତ୍ୟ କି ନା ଏହାର ପ୍ରମାଣ ପୁରୁଷ ପକ୍ଷରେ ସ୍ତ୍ରୀ କହିପାରିବ ଏବଂ ସ୍ତ୍ରୀ ପକ୍ଷରେ ପୁରୁଷ କହି ପାରିବ । ଅର୍ଥାତ୍‌ସ୍ତ୍ରୀକୁ ପଚାରିବାକୁ ହେବ ଯେ ପୁରୁଷ ଦ୍ୱାରା ଆକୃଷ୍ଟ ହୁଏ କି ନାହିଁ । ଆଉ ପୁରୁଷ ତ କହିବ ଯେ ସେ ସ୍ତ୍ରୀ ଦ୍ୱାରା ଆକୃଷ୍ଟ ହେଉଛି ।

 

ରାଧାକୃଷ୍ଣ ପ୍ରେମରେ ଆମେ କଣ ଦେଖୁଁ ? ରାଧାକୃଷ୍ଣ ଦ୍ୱାରା ଆକୃଷ୍ଟ ହୋଇଛନ୍ତି ତଥା କୃଷ୍ଣ ରାଧା ଦ୍ୱାରା । ଏହିପରି ଅନେକ ନାଟକ ଉପନ୍ୟାସରେ ଆମେ ଏହି କଥାର ଯଥାର୍ଥ୍ୟ ଦେଖିବାକୁ ପାଉଁ । ଏ ବିଷୟରେ ସନ୍ଦେହର ଅବକାଶ ନାହିଁ ବୋଲି ମନେହୁଏ ।

 

ଅଳଙ୍କାର ପ୍ରିୟ ଉଭୟ ପୁରୁଷ ଓ ସ୍ତ୍ରୀ । ସେଥିପାଇଁ ପ୍ରାଥମିକ ମାନବ ସମାଜରେ ଆମେ ଦେଖୁଁ ପୁରୁଷ ଅଳଙ୍କାର ପିନ୍ଧେ, ସ୍ତ୍ରୀ ମଧ୍ୟ ଅଳଙ୍କାର ପିନ୍ଧେ । କିନ୍ତୁ ଆସ୍ତେ ଆସ୍ତେ ଦେଖାଯାଏ ଯେ ପୁରୁଷ ଅଳଙ୍କାର ଛାଡ଼ିଦିଏ, ମାତ୍ର ସ୍ତ୍ରୀ ତଥାପି ଅଳଙ୍କାର ପିନ୍ଧୁଥାଏ ।

 

କିନ୍ତୁ ଏହା ମଧ୍ୟ ଠିକ୍‌ନୁହେଁ । ଆଜି ଇଂରେଜ ସମାଜରେ, ବିଲାତୀ ସମାଜରେ ସ୍ତ୍ରୀର ଅଳଙ୍କାର ସେପରି ନାହିଁ- ପୁରୁଷର ମଧ୍ୟ ନାହିଁ ।

ଭାରତ ବର୍ଷରେ ପୁରୁଷର ଅଳଙ୍କାରପ୍ରିୟତା ନାହିଁ- ମାତ୍ର ସ୍ତ୍ରୀର ଅଳଙ୍କାରପ୍ରିୟତା ଅଛି ।

କିନ୍ତୁ ଏ କଥା ଦେଖାଯାଉଛି, ସ୍ତ୍ରୀର ଲୁଗାପଟାରେ ରଙ୍ଗ ଓ ନାନା ଭୂଷା ଦରକାର ହେଉଛି- ପୁରୁଷ ସାଧାରଣତଃ ସାଧାସିଧା ଏହାର କାରଣ କଣ ? ସେହି କାରଣ ଅନୁସନ୍ଧାନ କରିବାକୁ ହେବ ।

 

ତାପରେ ପୋଷାକରେ ମଧ୍ୟ କିପରି ପରିବର୍ତ୍ତନ ଆସୁଛି । ବିଲାତୀ ସ୍ତ୍ରୀମାନେ ଅଳଙ୍କାରପ୍ରିୟା ନୁହନ୍ତି ବୋଲି ନା କଣ ସେମାନଙ୍କର ପୋଷାକ ପରିଚ୍ଛଦ ଭାରତୀୟ ଚକ୍ଷୁରେ ଲଙ୍ଗଳା ଲଙ୍ଗଳା ଦିଶେ । ଅଳଙ୍କାର ଯଦି ଯୌନ ଆକର୍ଷଣ ପାଇଁ- ତାହାହେଲେ ଅଳଙ୍କାର ବଦଳରେ ଲୁଗାପଟାର ଆଡ଼ମ୍ୱର- ଚିତ୍ରକାରିତା, ମନୋହାରିତା ଦରକାର । ତା ଯଦି ନ ଥିଲା ତା ହେଲେ ଲୁଗାପଟା ଏପରି ପିନ୍ଧିବା ଦରକାର ଯେଉଁଥିରେ ଯୌନ କ୍ଷୁଧାର ଆକର୍ଷଣ ପାଇଁ ଯୌନ ଅଂଶ ଆଡ଼କୁ ଇଂଗିତ ରହିବ ଏବଂ ସେପରି ପୋଷାକ କରିବା ଦରକାର । ଏହାହିଁ ହୋଇଛି ପାଶ୍ଚାତ୍ୟ ଦେଶରେ- ଏବଂ ଏହାରି ଅନୁକରଣ ଆମେ ମଧ୍ୟ କରିବାକୁ ଶିଖିଛୁଁ । ଏହାଛଡ଼ା ନାରୀଠାରେ ବର୍ଣ୍ଣବୈଚିତ୍ର୍ୟ, ପ୍ରଜାପତି ରଙ୍ଗର ଲୁଗାପଟା ଦେଖାଯାଏ ।

 

ରଙ୍ଗ ଚିତ୍ତକୁ ଆକର୍ଷଣ କରେ- ବିକ୍ଷେପ କରେ । ସେଥିପାଇଁ ନାରୀ ରଙ୍ଗ ବ୍ୟବହାର କରେ । ତାହାହେଲେ ଦେଖାଯାଉଛି ସାଧାରଣତଃ ନାରୀହିଁ ନରକୁ ଆକର୍ଷଣ କରିବା ପାଇଁ ସାଜସଜା କରେ ।

ଆଗେ କିନ୍ତୁ ଏହା ନ ଥିଲା । ସ୍ୱଭାବତଃ ପୁରୁଷ ସ୍ତ୍ରୀଠାରୁ ସ୍ୱାଭାବିକ ସୌନ୍ଦର୍ଯ୍ୟରେ ବେଶୀ ଭଲ । ମୟୂରର ପୁଛ ଅଛି- ମୟୁରୀର ନାହିଁ । ସିଂହର କେଶର ଅଛି କିନ୍ତୁ ସିଂହୀର ନାହିଁ ।

 

କିନ୍ତୁ ଏହି ସାଧାରଣ ନିୟମର ବ୍ୟତିକ୍ରମ ମଧ୍ୟ ପ୍ରକୃତିରେ ଦେଖା ଦେଇଛି । କୌଣସି କୌଣସି ଜାଗାରେ ଏପରି ପକ୍ଷୀ ଅଛି ଯାହାର ସ୍ତ୍ରୀ ବେଶୀ ସୁନ୍ଦର । ପୁରୁଷ ସେପରି ନୁହେଁ ।

ପୁଣି କେଉଁ କେଉଁ ପକ୍ଷୀ ଭିତରେ ପୁରୁଷ ଓ ସ୍ତ୍ରୀ ଉଭୟ ସୁନ୍ଦର । ଆଉ କେଉଁ କେଉଁ ପକ୍ଷୀ ଭିତରେ ପୁରୁଷହିଁ ସୁନ୍ଦର, ସ୍ତ୍ରୀ ସେପରି ନୁହେଁ ।

 

କିନ୍ତୁ ସାଧାରଣତଃ ପୁରୁଷ ବେଶୀ ସୁନ୍ଦର ସ୍ତ୍ରୀ ଅଳ୍ପ ସୁନ୍ଦର । ଏହି କାରଣରୁ କି ସ୍ତ୍ରୀମାନେ ବେଶୀ ସଜାଇହେବାକୁ ମନ ବଳାନ୍ତି । କହିବି କେତେ ? କଥା ଅପୂର୍ଣ୍ଣ ରହିଲା ।

ଅନେକ ଦିନ ହୋଇଗଲାଣି । କଟକ ସହରକୁ ଗୋଟିଏ ବଙ୍ଗାଳୀ ହୋମିଓପ୍ୟାଥ ଆସିଲା । ବୟସ ୭୫ । ତାର ସୁନାମ ହେଲା । ଦେଖୁ ଦେଖୁ ସେହି ଜୀର୍ଣ୍ଣ ତରୁରେ ପ୍ରାଣ ଉଛୁଳି ଉଠିଲା । ପତ୍ର ଧରିଲା । ଠିକ୍‌ସେହିପରି ସେହି ସମୟରେ କଟକ ଗାର୍ଲସ୍କୁଲରେ ଗୋଟିଏ ମାଷ୍ଟ୍ରରାଣୀଙ୍କ ବୟସ ହୋଇଥିଲା ୪୮ । ଏହି ଦୁଇଜଣଙ୍କର ବିବାହ ହେଲା ଗୀର୍ଜାରେ । ଧବଳେ ସାହେବ ସେତିକିବେଳେ କଟକ ଡିଷ୍ଟ୍ରିକ୍ଟ ଏବଂ ସେସନ୍‌ସ ଜଜ୍‌। ସେ God father ହୋଇ କନ୍ୟାକୁ ଗୀର୍ଜାକୁ ଘେନିଗଲେ । ବାତ୍ସାୟନ ଠିକ୍‌କହିଛନ୍ତି । କିନ୍ତୁ ଏତ ବାତ୍ସାୟନଙ୍କୁ ମଧ୍ୟ ଟପିଗଲା । ୭୫ ବର୍ଷ ବୟସରେ ବି ବିବାହ କରିବାକୁ ଇଚ୍ଛା ହୁଏ । ବଙ୍ଗଳାରେ ସେଥିପାଇଁ ଅଛି- ବିୟେ ପାଗଲା ବୁଡ଼ୋ ।

 

ଆଉ ଏକ ବିବାହ ଦେଖନ୍ତୁ- Contract marriage ତୁମେ ତୁମ ଘରେ ରହିବ । ମୁଁ ମୋ ଘରେ ରହିବି । ଯେଉଁଦିନ ପୁରୁଷ ଇଚ୍ଛା କରିବ ସେହିଦିନ ସେ ନାରୀଘରେ ଉପସ୍ଥିତ ହେବ । ସେ ଦିନ ରାତିର food and board ଫ୍ରୀ ।

ପ୍ରେମ ବା Love flame, ବା କାମ ବା କଦର୍ଯ୍ୟ ଲୋକଙ୍କୁ ପାଗଳ କରିଦିଏ । ବିଶ୍ୱାମିତ୍ରର ପତନ ସେହିଥିରେ । ମେନକା ତୁମେହିଁ ଜିତିଛ । ବିଶ୍ୱାମିତ୍ର ହାରିଛି । ସେଥିପାଇଁ ଅନେକ ବିବାହ କରିବେ; କରିବେ ନାହିଁ- କରିବେ କରିବେ ନାହିଁ- କରୁଁ କରୁଁ ଶେଷରେ ଅପ୍ରତ୍ୟାଶିତ ଭାବରେ ଗୋଟିଏ କେଉଁଠି ବିବାହ ହୋଇ ପଡ଼ନ୍ତି । ତା ପୂର୍ବରୁ ଅନେକ ଆଶା ନିରାଶାରେ ପରିଣତ ହୋଇଥାଏ- ଅନେକ କୁହୁକ ଅନେକ କୁହୁକୁନୀ ପୁରୁଷ ଆଗରେ ଖେଳାଇଥାନ୍ତି ।

 

Co-educationରେ ଅନେକ ପାଗଳ ହୋଇ ଯାଉଛନ୍ତି । ଏହାକୁ ତାହାକୁ ବିବାହ କରିବେ । ହୁଏତ ପୁରୁଷ ଇଚ୍ଛା କରୁଛି, ନାରୀ ନୁହେଁ- ପୁରୁଷ ହେଲା ପାଗଳ । ଆଉ ହୁଏତ ନାରୀ ଇଚ୍ଛା କରୁଛି ପୁରୁଷ ନୁହେଁ- ନାରୀ ହେଲା ପାଗଳୀ ।

ପୁଣି ଏପରି ଦେଖାଯାଉଛି- ପୁରୁଷ ସ୍ତ୍ରୀ ପ୍ରତି ଆକୃଷ୍ଟ । ସ୍ତ୍ରୀ ବିବାହ କଲା ନାହିଁ । ସେଥିପାଇଁ ପୁରୁଷ ଅପେକ୍ଷା କରି କରି ରହିଲା- ଶେଷରେ ନ ହେଲା ବିବାହ । କୌଣସି କୌଣସି ଜାଗାରେ ୨।୩ ପୁରୁଷ ଏକ ନାରୀର ମୋହରେ ପଡ଼ିଛନ୍ତି । ନାରୀ ବିବାହ କରିନାହିଁ- ପୁରୁଷମାନେ ମଧ୍ୟ ଏକାକୀ ଜୀବନ ଶେଷକୁ ଯାପନ କରିଛନ୍ତି ।

 

ଆଶ୍ଚର୍ଯ୍ୟ ଏସବୁ ସହନଶୀଳତା, ଆଶ୍ଚର୍ଯ୍ୟ ଏ ସବୁ ଆକର୍ଷଣ- ଆଶ୍ଚର୍ଯ୍ୟ ଏସବୁ ତ୍ୟାଗ । ଆଃ ! କି ଯନ୍ତ୍ରଣା ! କି ଦୁଃଖର କଥା ! ଏକ ପୁରୁଷ ରାୟବାହାଦୂର ଏମ୍‌. ଏ- ତଥାପି ବଦଭ୍ୟାସରେ ପଡ଼ିଛି ମଲାପର୍ଯ୍ୟନ୍ତ । ପୁରୁଷ ତା ଉପରେ ସହବାସ କଲେ ତାର ତୃପ୍ତି । ତାର ବଡ଼ ବଡ଼ ପୁଅମାନେ ଏହା ସହ୍ୟ କରି ପାରିଲେ ନାହିଁ- ତାଠାରୁ ଅଲଗା ହୋଇଗଲେ।

 

ଠିକ୍‌ଏହିପରି ଏକ ବୃଦ୍ଧା ୭୦ ବର୍ଷର ହେବ- ସେ ବାଳକମାନଙ୍କୁ ଧରି ସେମାନଙ୍କୁ ଛାତ୍ରବୃତ୍ତି ଇତ୍ୟାଦି ଦେଇ ସେମାନଙ୍କ ଦ୍ୱାରା ତାର ଏହି କାମ କ୍ଷୁଧା ଚରିତାର୍ଥ କରାଏ । ଏହା ଦେଖି ତାର ବଡ଼ ବଡ଼ ପୁଅମାନେ ସହି ପାରନ୍ତି ନାହିଁ- ତେଣୁ ସେ ପିଲାଙ୍କଠାରୁ ମଧ୍ୟ ଅଲଗା ରହିବାକୁ ଚାହେଁ ।

 

ହେ ବିଧାତା ! ହେ ସୃଷ୍ଟିକର୍ତ୍ତା ! ଏସବୁ ପ୍ରକୃତି କିପରି ଏମାନଙ୍କ ଭିତରେ ଦେଲ ?

ସୋଡ଼ମ ଆଉ ଗୋମରା ସହର ତ ଏହିପରି ପୂର୍ବକାଳରେ ଧ୍ୱଂସ ହୋଇ ଯାଇଥିଲା । ଫ୍ରାନ୍‌ସରେ ଏହି ଜନ୍ମସଂଖ୍ୟା ଅତି କମ୍‌ହେବାରୁ ତ ସେଠି ଯେ ମା ଏକାଥରେ ଦୁଇ ତିନିଟା ଛୁଆ ଜନ୍ମ କଲା- ତାକୁ ପୁରସ୍କାର ମିଳୁଥିଲା । ଆଉ ଏଠି ଆମ ଭାରତବର୍ଷରେ ଚିନ୍ତା ପଡ଼ିଛି କିପରି ଜନ୍ମ ନିରୋଧ କରାଯିବ- ଲୋକସଂଖ୍ୟା କିପରି କମାଇବାକୁ ହେବ ।

ବହୁଦିନ ଗଲା । ଆଜି ପୁଣି ଏହା ଲେଖିବାକୁ ବସିଲି । ଆଜି ଅଳ୍ପ ବୟସରେ ବିବାହ କରି କଞ୍ଚା ବୟସରେ ଯୌନକ୍ରିୟାରେ ଲିପ୍ତ ହୋଇ ଶରୀର ମନ ନୀତି ସବୁ ଭ୍ରଷ୍ଟ କରୁଛନ୍ତି । ବିବାହର ବୟସ ସିନା ଟିକିଏ ବଢ଼ିଯାଇଛି କିନ୍ତୁ ଭ୍ରଷ୍ଟତା ଅସଯଂମ ବଢ଼ି ଯାଇଛି । ଆଜି ବାଳକ ବାଳିକାର ଅବାଧ ମିଳନ-ଯୁବକ ଯୁବତୀର ମଧ୍ୟ । ପୂର୍ବେ ବାଲ୍ୟବିବାହ ଥିଲେ ମଧ୍ୟ ସଂଯମର ଓ ଶୃଙ୍ଖଳାର ସୀମା ଅତ୍ୟନ୍ତ ବେଶୀ ଥିଲା ।

 

ଆଜି ସଂଯମର ସବୁ ବାଡ଼ବତା ଭାଙ୍ଗିଯାଇଛି- ଶରୀରରୂପୀ ଉଦ୍ୟାନ ଆଜି ପଡ଼ିଆ ପଡ଼ିଛି ଯେଉଁ ଗାଈ ଯେଉଁଠାରେ ପଶିଲା- ଯେଉଁ ବାଟେ ପଶିଲା- କିଛି ମନା ନାହିଁ ।

 

ଆଜି ଘରର ସୌନ୍ଦର୍ଯ୍ୟ, ମାଧୁର୍ଯ୍ୟ କମିଯାଉଛି । ମନୋବିଜ୍ଞାନରେ ବଡ଼ ଗୋଳମାଳ ଘଟୁଛି । ମାତାପିତାମାନେ ବାଳିକା ବାଳକଙ୍କୁ ଯୁବକ ଯୁବତୀ କଥା ଛାଡ଼- ଆଉ ନିଜ ଆଇନରେ ରଖି ପାରୁ ନାହାନ୍ତି । ପୁଣି ଯୁବକ ଯୁବତୀ ବିବାହ ପରେ ସେ ସୁଖ ଭୋଗ କରି ପାରୁ ନାହାନ୍ତି । ସେମାନଙ୍କର ବ୍ୟଭିଚାରୀ ମନ ଯୋଗୁଁ ପରସ୍ପର ପ୍ରତି ସ୍ନେହ, ଶ୍ରଦ୍ଧା, ସଂମୋହ କମିଯାଉଛି । ଆଜି ଭାରତରେ ଏହି ନୈତିକ ଅବସାନ ଘଟୁଛି ବଡ଼ ଖରତର ବେଗରେ ।

 

ଆମେରିକା ଇଂଲଣ୍ଡ ନୈତିକ ଅବସାନରୁ ଯେତେବେଳେ ଉଠିବାକୁ ବାଟ ଖୋଜୁଛନ୍ତି; ସେତେବେଳେ ଯୁବକ ଯୁବତୀ ସ୍ୱେଚ୍ଛାଚାରିତାର ଗୌରବ ଅନୁଭବ କରୁଅଛନ୍ତି । ତେଣୁ ଅନେକ ସମୟରେ ବୟସ୍କ ଗୃହସ୍ଥର ମନରେ ବଡ଼ ମର୍ମନ୍ତୁଦ ଦୁଃଖ ଜାତ ହେଉଛି ।

 

ରାଖି ବନ୍ଧନ ଦିବସ

ଏହି ଦେଖନ୍ତୁ ରାଖିବନ୍ଧନ ଦିବସର କାହାଣୀ- ଫୁଟି ଉଠି ଅଛି ପଦ୍ୟରେ- କି ମର୍ମର ଛନ୍ଦରେ-

ବରଷୁଛି ବରଷା ଘନ ଘନ ଗଭୀରେ

ଆସୁଛି ମାଡ଼ି ବାରିଦମାଳା ଆକାଶ ଉପରେ ।

ତିମିର ରାତ୍ରି, ସୁପ୍ତ ସକଳ ନରନାରୀ;

ବରଷୁଛି ବରଷା ଆପଣା ମନ ପୂରି ।

 

 

ଦୂରୁ ଘନ ଅରଣ୍ୟୁ ଆସୁଛନ୍ତି ବାହାରି

ସନ୍ନ୍ୟାସୀ, ଯତି; ତପୀ, ବ୍ରହ୍ମଚାରୀ

ନେବେ ଆଶ୍ରୟ ଆସି ରାଜନଗରୀ

ଭରିଛି ଭରିବ ଅରଣ୍ୟାନୀ ମହା ହୁଙ୍କାରି ।

 

ଏଥର ଭୀଷଣ ଗର୍ଜନ ଆକାଶ ଭରି

ଆସ ଆସ ତ୍ୱରିତ ବାହାରି ହେ ବ୍ରହ୍ମଚାରୀ !

ଋଷି ଆଶ୍ରମ ସବୁ ଏବେ ଖାଲି

ଆସୁଛନ୍ତି ଅସଂଖ୍ୟ ଋଷି ଋଷିପତ୍ନୀ ଧରି ।

 

ଲାଗିଛି କୋଳାହଳ, ଲାଗିଛି ହୁଳହୁଳି

ସ୍ୱର୍ଗ ମର୍ତ୍ତ୍ୟର ଛବି ପରି ଅନ୍ତର ଭରି

ଅସଂଖ୍ୟ ନରନାରୀ ଆଜି ଉଭା ଦାଣ୍ଡ ଦୁଆରି

ଦେଖିବେ ଦେଖୁଛନ୍ତି ଋଷି ଋଷିପତ୍ନୀ ଧରି

 

ଚାଲିଛନ୍ତି ଦଳେ ଦଳେ ହାତରେ ରାଖିବନ୍ଧନ ଧରି

ବାନ୍ଧିବେ ତହିଁରେ ହୃଦୟ ମନ ସକଳ ନରନାରୀ

ଆଉ ରହିବ ନାହିଁ ଭୟ ଭାବନା ଭଉଣୀ ଆସିବ ଚାଲି

ଭାଇ ଘରେ ଆଜି ବାନ୍ଧିବ ସେହି ରକ୍ଷା ବନ୍ଧନ ଡୋରି ।

 

ଆହା କି ପ୍ରେମର ଏହି ମର୍ତ୍ତ୍ୟର ସ୍ୱପ୍ନପୁରୀ

ରକ୍ଷା ବନ୍ଧନ ଦିବସ ଦେବତାଏ ବାନ୍ଧିବେ ଡୋରି

ମାନବ ହସ୍ତେ ପୁଣି ଭଉଣୀ ଭାଇକୁ ଆଶୀର୍ବାଦ କରି ।

 

ଏ ଦିବସର ଏହି ମର୍ଯ୍ୟାଦା ଶ୍ରାବଣର ଶେଷେ

ମେଘ ବରଷି ଯେବେ କରିଛି ଧରା ପୁଲକିତ ଅବଶେଷେ

ସବୁ ଦିଶଇ ଶ୍ୟାମଳ ଚାରିଆଡ଼େ କୋମଳ

ଯାହା ସୁନ୍ଦର ସ୍ନିଗଧ ପରଶ

 

ଆସ ଆସ ଭାଇମାନେ ଧାଇଁ ଆସ

ଭଉଣୀ ଆସୁଅଛନ୍ତି ସସ୍ନେହ ସଜାଇ ଡାଲା ଆମ ପାଶ

ଆଉ ଋଷି ଋଷିପତ୍ନୀ ସମସ୍ତେ ଆସୁଛନ୍ତି ଆମ ପାଶ

ଆଜି ଶ୍ରାବଣର ଶେଷ

ଆଜି ପୂର୍ଣ୍ଣ ପ୍ରାଣର ପରଶ

 

ଆଜି ଦେବତା ମାନବ ଏକତ୍ର ବନ୍ଧନ ଦିବସ

ଆଜି ଭଗିନୀ ଆଶୀର୍ବାଦ ପଡ଼ିବ ଭାଇର ଶୀର୍ଷ

ଆହା ପବିତ୍ର ଦିନ ଆଜି ମଧୁର ସ୍ନେହ ପରଶ

ଆସ ଆସ ନମସ୍କାର କର ଘେନ ଆଶୀଷ

 

ଭଗିନୀ ବାନ୍ଧିବ ରାଖି, ଆମକୁ ମନରେ ରଖି

ଆମେ ନମିବା ତାଙ୍କ ପୟରେ, ତାଙ୍କ ଆଖିକୁ ଦେଖି

କୋମଳ ପରଶ ଆଜି ଉଛୁଳିବ

କୋମଳ ପ୍ରେମକୋରକ ଯେହ୍ନେ ଫୁଟିବ

 

ଧରା ଶ୍ୟାମଳ ଅଙ୍କେ ଆଜି କେତେ ତରୁଲତା ପୁଲକିବ

ଧୀରେ ଧୀରେ ଶ୍ୟାମଳ ଧରା ହେବ ପୂର୍ଣ୍ଣ ସୁଷମା ଭରା

ଆମେ ତହିଁରେ ଭରିବୁ ଆନନ୍ଦ ମହା ଆନନ୍ଦେ

ପାହାଡ଼ ବଣରୁ ଆସିଛନ୍ତି ଆଜି ଆମ ଋଷି ମୁନି ପତ୍ନୀ ସହ

 

ଆମକୁ ଆଶୀର୍ବାଦିବେ ଆମେ ଧନ୍ୟ ହେବୁଁ ତାଙ୍କୁ ପୂଜି

ପ୍ରାଚୀନର ଏହି ସୁନ୍ଦର ବିଧାନ

ମନକୁ କରଇ ଆନନ୍ଦିତ ଆଜ ମନ

ଭାବୁଛୁଁ ସେ ଦିନର କଥା

 

ଆଜି ସମାଜ ବ୍ୟଥା

କେତେ ବେଶୀ

କିଏ କଳିବ ତାହା କହିବ ଅବା କିଏ

ସବୁ ଶ୍ୟାମଳ ସୁନ୍ଦର ଆଜି ଯେହ୍ନେ ଯାଇଛି ଉଭେଇ, ନାହିଁ କିଛି

 

ତଥାପି ବର୍ଷ ବର୍ଷ ଏହି ସ୍ମୃତି ଘୂରି ଫେରିଆସେ ଆମ ପାଖକୁ

ଆମେ ବସି ବସି ଚିନ୍ତା କରୁଁ ଘଡ଼ିଏ ପାଇଁ ସେ ସ୍ପର୍ଶକୁ

ଶ୍ରାବଣର ଧାରା ଏବେ ଯିବ ଧୀରେ ଧୀରେ ଚାଲି

ଆସିବ ନୂତନ ଋତୁ ଶରତର ଶୋଭା ଘେନି

ଋଷି ପତ୍ନୀ ସବୁ ରହିବେ ଆମ ଗହଣେ କହନି

 

କି ସୁଖ ହେବ ସଞ୍ଚାର, କି ସୁଖ ଅପାର

ତହିଁରେ ଖେଳିବୁଁ ଦି ଦିନ

ଯିବେ ଯେବେ ସେ ବାହାରି

 

ସଂସାରର କର୍ମକଠୋର ଜୀବନ ଘେନି

ଚାଲିବୁଁ ଆମେ ଆମ କର୍ମ ପଥେ କଠୋର ବେନି

ନର ନାରୀ- ଏହି ଦୁଇ ବିଚିତ୍ର ବିଧାନ

ସେହି ପରମାତ୍ମାଙ୍କର- ଦେଖିବା ପାଇଁ ତାଙ୍କୁ ଆମ ମନ

 

ଧାଇଁବ ଜୀବନ ଶେଷରେ ବୃଦ୍ଧ ବୃଦ୍ଧା ହେବୁଁ ଯେବେ

ଆଶ୍ରୟ କରିବୁଁ ଅରଣ୍ୟ ନିର୍ଜନ ବାସ

ତହିଁରେ ସାହାଯ୍ୟ କରିବେ ଆମର ସନ୍ତାନମାନେ

ଆମେ ଯେପରି କରିଛୁ ଆମ ପୂର୍ବ ପୁରୁଷ

 

ମନେକର ସେହି ଦିନମାନ, ମନେ କରି ହୁଅ ଧନ୍ୟ ।

ଆଜି ରାଖିବନ୍ଧନ ଦିନ

ଆଜି ଆସଇ ମନେ ଏହି ଚିନ୍ତାମାନ

ଗାଉ ଆଜି ମନ ଖୋଲି ପ୍ରାଣ

 

ଧନ୍ୟ ହରି, ଧନ୍ୟ ମୁହିଁ ସକଳେ ଧନ୍ୟ

ସବୁ ଧନ୍ୟ- ଧନ୍ୟ ଜୀବନ, ଧନ୍ୟ ଯୌବନ,

ଧନ୍ୟ ଜରା, ଧନ୍ୟ ମୃତ୍ୟୁ, ଧନ୍ୟ ଶ୍ରାବଣ

ଆଜି ରାଖିବନ୍ଧନ ଦିନ

 

ତଟନୀ ପରେ ବହିଯାଏ ଯେଉଁ ତରଣୀ

ତର ତର ହୋଇ ତହିଁ ବସିଛି ଗୋ ଭଉଣୀ

ଆସୁଛି ସେ ମୋତେ ଆଶୀର୍ବାଦିବା ପାଇଁ

ଧନ୍ୟ ମୁହିଁ, ଧନ୍ୟ ମୁହିଁ, ଆଜି ଧନ୍ୟ ମୁହିଁ

ରାଖି ବନ୍ଧନ ଦିବସ ମୋ ରକ୍ଷା ପାଇଁ

 

ଯମୁନାର ଜଳ ଉଚ୍ଛଳ

ଆଜି ଧରଣୀରେ ଲାଗିଛି କୋଳାହଳ

ଆଜି ଧରିତ୍ରୀ ପୂର୍ଣ୍ଣ ଶ୍ୟାମଳ

 

ସେହି ପୂର୍ଣ୍ଣ ଶ୍ୟାମଳ ମନ ଘେନି

ଆସୁଅଛି ଧାଇଁ ମୋର ବଡ଼ ଭଉଣୀ

ଟିପାଟି ଦେବ ଚନ୍ଦନେ, ଲେଖିବ ଚିତ୍ର ବଦନେ

ଶୋଭାରେ ଦେବ ମୋତେ ସଜାଇ

 

ସ୍ନେହରେ ମୋତେ ଦେବ ମଜାଇ

ଯମୁନାର ଜଳ ଆଜି ବଡ଼ ପ୍ରେମପୂର୍ଣ୍ଣ

ଆଜି ରାଖିପୂର୍ଣ୍ଣିମା ଦିନ ଅତି ପ୍ରେମପୂର୍ଣ୍ଣ

ରୁଦ୍ରର ଅଭିଶାପ,

 

ଅତି-ମାନୁଷ

ଆତ୍ମଘାତୀ ନ ହୁଅ ତୁମ୍ଭେ

ସ୍ୱୀକାର କର ସ୍ୱୀକାର କର

ଏ ଦେହର ଦାବୀ

 

ହେ ନାରାୟଣ

ରୁଦ୍ରର ଅଭିଶାପ ମସ୍ତକେ ନ ବହି

ସ୍ୱୀକାର କର ହେ ଅତି ମାନୁଷ

ମାନବ ଜୀବନର ଏହି ରହସ୍ୟ

 

କ୍ଷୁଧା କ୍ଷୁଧା- କାମର କ୍ଷୁଧା

ବାହୁବନ୍ଧନେ ନରନାରୀ

ବାହୁବନ୍ଧନେ

ଚକ୍ଷୁର ସେ କି ଆକର୍ଷଣ

 

ଦେହର ପ୍ରତି

ଦୁର୍ବାର ହୋଇ ଉଠେ ଯେବେ ଯୌନ ଲାଳସା

ଶକ୍ତି କି କାହାରି ପାରିବ ରୋଧି

ସାଗରର ଉତ୍ତାଳ ତରଙ୍ଗକୁ

ମଧ୍ୟ ଦେବ ସେ ଗ୍ରାସି

 

ଭୟ ନାହିଁ ତାର

ଅତି ଗଭୀରେ ସେ ଦେବ ପଛେ ପ୍ରାଣ ଝାସି

ମାତ୍ର ସେହି ଅଛି- କାମାଗ୍ନି-

 

ଦାରୁଣ- ନିଦାରୁଣ-ଦାଉଦାଉ

କରି ଜଳଇ ଯେବେ

କିଏ ତାକୁ କରିବ ଅସ୍ୱୀକାର

ଦୂରେ ଦୂରେ ତାର ରହିବ କିଏ କେତେ କେବେ

 

ଯେବେ ହେଲେ ମୋଡ଼ି ହୋଇ ପଡ଼ିବ ସେ

ଉତ୍‌ପାଟିତ ତରୁମୂଳ ପରି

ସକଳ ସାଧନା ସକଳ ବାସନା ସ୍ରୋତେ ଯିବ

ଉତ୍‌ପାଟିତ ହୋଇ

କୀଳୋତ୍‌ପାଟୀବ ବାନର ପରି

 

ଦୁର୍ବାର ସେ ଲାଳସା

ଉଠଇ ଯେବେ ସାଗରର ଉର୍ମିପରି

ତୁହାକୁ ତୁହା ଉପରି ଉପରି

 

କିଏ ପାରିବ ରୋଧି ?

ଅନନ୍ତ କାଳ ସେହି ଉର୍ମି ଚାଲିଛି

ଧରଣୀ ଦିଗକୁ ପ୍ରସାରି ପ୍ରସାରି

ଉଠଇ ଝଡ଼ ପ୍ରବଳ ବାତ୍ୟା

 

ଘୂର୍ଣ୍ଣି ଦେଖ କି ପ୍ରଚଣ୍ଡ

ଲେଲିହାନ ଜିହ୍ୱାତାର

କରଇ ସବୁ ଲଣ୍ଡଭଣ୍ଡ

କାମନାର ତାଡ଼ନା ପାଏ ସିନା

 

ତାର ପରିଣତି ପ୍ରେମେ

ସେହି ପ୍ରେମେ ସେହି ଶ୍ରଦ୍ଧାନ୍ୱିତ

ବାସନା ଭୂମିର ଶ୍ରେଷ୍ଠ ଅବଦାନେ

ଆସ ତେବେ ତରୁଣ ତରୁଣୀ

 

ହୁଏ ତେବେ ପ୍ରେମିକ ପ୍ରେମିକା

ପ୍ରେମରେ କଷଣ ସହେ ପ୍ରେମିକ

ପ୍ରେମିକାର ପାଇଁ

ପ୍ରେମିକା ବି ସେହିପରି ଭାଇ

ହେଉ ପଛେ ଦେହର ମିଳନ

ଇନ୍ଦ୍ରଧନୁ ସମ ଯାହା ମଧୁ ମିଳନ

ଚକ୍ଷୁର ତୃପ୍ତି ଦିଗନ୍ତେ ଯେସନ

ମାତ୍ର ଥାଏ ଇନ୍ଦ୍ରଧନୁ ଯେତେ କ୍ଷଣ

 

 

ତଥାପି ନ କରେଁ ମନା,

ନ କହେଁ ନାଁ, ନାଁ

ମାତ୍ର ସବୁଦିନ ନୁହେ, ବସନ୍ତ ଆସିବ ଯେବେ

ପରାଣେ ପୁଲକ ଜାଗିବ ତେବେ,

 

ଆମ୍ଭ ମଞ୍ଜରୀର ମଧୁମୟ ସୁବାସ ଛୁଟିବ ତେବେ

କୋକିଳ ଗାଇବ ତାନେ ବସି କୁହୁ କୁହୁ କୁହୁ

ସେହି ବସନ୍ତକୁ କର ଅପେକ୍ଷା

ନୁହେ ରସ ସଂଗ୍ରହିବାକୁ ସବୁଦିନୁ

 

ରଖିବ ଯଦି ନିଜକୁ କରି ଚିର ପ୍ରେମିକ

ବସନ୍ତ ବସନ୍ତକୁ କରି ଅପେକ୍ଷା

ପ୍ରେମ ପାଇଁ ହୁଅ ଜାଗରୁକ

ନୁହେଁ ସବୁ ଦିନ ପାଇଁ-

 

ଶୁଖିଯିବ ଝରଣା,

ମଳିନ ହେବ ତଟିନୀ,

କୁଳୁକୁଳୁ ନାଦ ଶୁଭିବନି

ବାଜିବ ନି ମଧୁରେ କିଙ୍କିଣୀ

 

ସମ୍ଭାଳି ଚାଲ ତେଣୁ ପ୍ରେମର ପଥେ

ବିରହେ ରସାଣିତ କର

ମିଳନର ଦିନ

ଦେହକୁ ନ କର ଅତି ପ୍ରଧାନ

 

ପ୍ରେମରେ ଭିତର ଦେଇ

ଗଭୀରେ ପଥ ଯାଇ

ଆନନ୍ଦର ଅମୃତ ସତ୍ତା କର ଅନୁଭବ

କର ସ୍ଥାୟୀ ତାକୁ

ତେବେ ବୁଝିବ କାମ ପ୍ରେମର ଭେଦ

 

ବ୍ୟାହତ ନ କରି ଜୀବନର ଗଭୀର ପନ୍ଥା

ଚାଲୁ ପ୍ରେମ ଗଭୀରେ ଗଭୀରେ ନିତି ଦିନ

ଦେଖ ତାର ଛବି ଅନ୍ତରେ ଅନୁଭବି ହୋଇ ପ୍ରେମ ପୂର୍ଣ୍ଣ

 

ସେ ଯେ ପ୍ରେମ ଅଭିରାମ ସାତ୍ତ୍ୱିକ ଅବସ୍ଥିତି ଯାର, ସୁନ୍ଦରତା

ବସନ୍ତର ପୁଷ୍ପୋଦ୍ୟାନେ

ଯଦି କରିବ ନିତ୍ୟ ଭ୍ରମଣ

ଜଗିରହି ଚାଲ ତେବେ ପ୍ରେମର ପଥେ

ଶକ୍ତି ନ କରି କ୍ଷୀଣ

 

ସ୍ୱପ୍ନାଳୁ ହୋଇ ରୁହ ପଛେ

ଆଦର୍ଶକୁ ତଥାପି ନ ଯାଅ ଭୁଲି

ସେହି ସ୍ୱପ୍ନ ଭିତରୁ ଶକ୍ତି ପାଇ,

ଉଠ ଆପଣା ଆଦର୍ଶକୁ ଧରି